Unknown

 

 

 

 

 

 

 

ବ୍ରହ୍ମତତ୍ତ୍ୱ

ବା

ନଚିକେତା ଉପାଖ୍ୟାନ

ଶ୍ରୀ ଗୋପବନ୍ଧୁ ଦାସ

 

ପ୍ରଥମ ଅଧ୍ୟାୟ

ପ୍ରଥମ ବଲ୍ଲୀ

 

ଥିଲେ ଋଷି ଉଦ୍ଦାଳକ ପୁରାଣ-ପ୍ରଧାନ

ବାଜସ୍ରବା ତାଙ୍କ ବଂଶେ ସୁଯୋଗ୍ୟ ସନ୍ତାନ ।

ସ୍ୱର୍ଗଲାଭ ଆଶେ କଲେ ବିଶ୍ୱଜିତ ଯାଗ

ଧନ ଦାନେ ସର୍ବସ୍ୱାନ୍ତ ହେଲେ ମହାଭାଗ ।

ବିଚକ୍ଷଣ ନଚିକେତା ଥିଲେ ତାଙ୍କ ସୁତ

ବାଳକାଳୁଁ ତାଙ୍କ ମନ ସଦା ଶୁଦ୍ଧପୂତ ।

ଦେଉଥିଲେ ପିତା ଯେବେ ବୃଦ୍ଧ ଗାଭୀ ଦାନ

ଦେଖି ଦୁଃଖେ ଅବସନ୍ନ ନଚିକେତା-ପ୍ରାଣ ।

ମର୍ମେ ବ୍ୟଥା ପାଇ ମନେ କଲେ ସେ ବିଚାର,

“ଏଭଳି ଗୋଦାନେ ଅଛି କିବା ଉପକାର ?

ଏ ସକଳ ଗୋରୁ ଆହା ଜୀର୍ଣ୍ଣ କ୍ଷୀଣ ଅତି

ପାଇଛି ଇନ୍ଦ୍ରିୟ ଲୋପ, ଯାଇଛି ଶକତି ।

ପିଇଛନ୍ତି ଶେଷ ଢୋକ ଚିରଦିନ ପାଇଁ

ଖାଇଛନ୍ତି ଶେଷ ଘାସପୁଳା ଏହୁ ଗାଈ ।

ଦୁଧ ଦେବା ଲାଗି ଆଉ ନାହିଁ ଦେହେ ବାଳ

ଏ ଗୋଦାନେ ଦୁଃଖମୟଲୋକ ସିନା ଫଳ ।’’

ପିତାଙ୍କୁ ସେ ନଚିକେତା ପୁଛନ୍ତି ବଚନ,

“କାହା ଦାନ ଲାଗି ମୋତେ କଳ୍ପିଛ ଆପଣ ?”

ବାରମ୍ବାର ପଚାରନ୍ତେ ପିତା ବିରକତେ

କହିଲେ, “ଯମକୁ ଦେବି ଏହିଲାଗେ ତତେ ।”

ଶୁଣି ଏ ବଚନ ପୁତ୍ର ଭାବନ୍ତି ହୃଦୟେ,

“କିପାଇଁ ପେଷିବି ପିତା ମୋତେ ଯମାଳୟେ ?

ଛନ୍ତି ପିତାଙ୍କର ପୁତ୍ର ଶିଷ୍ୟ ଯେତେ ଜଣ

ସେବାଧର୍ମେ ମୁଁ ତ ନୁହେଁ ଅତି ଅକିଞ୍ଚନ ।

ନ ହେବି ଉତ୍ତମ ମଧ୍ୟେ ଯେବେ ଶ୍ରେଷ୍ଠତମ

ମଧ୍ୟମ କୋଟିରେ କେବେ ନୁହେ ମୁଁ ଅଧମ ।

ଯାହାହେଉ କ୍ରୋଧେ ପିତା କହିଲେ ଯେ କଥା

ପାଳିବି ତା, ନ କରିବି କେବେହେଁ ଅନ୍ୟଥା ।”

କ୍ଷଣେ ଅନ୍ତେ ପିତାଙ୍କର କ୍ରୋଧ ଉପଶମେ

କି କହିଲି ବୋଲି ବ୍ୟଥା ପାଇଲେ ମରମେ ।

ତହୁଁ ନଚିକେତା ସ୍ନିଗ୍‍ଧ କୋମଳ ବଚନେ

କହନ୍ତି, “ହେ ପିତା, କିପାଁ ଦୁଃଖ କର ମନେ ?

ଆମ୍ଭ ପିତୃ ପିତାମହ ପୂର୍ବ ଆଚରଣ

ଯେ ବିଧାନେ ଚଳୁଛନ୍ତି ଏବେ ସାଧୁଗଣ ।

ଶୁଦ୍ଧ ବୁଦ୍ଧ ଚିତ୍ତେ ତାହା କର ହେ ବିଚାର

କର ନାହିଁ କେବେ ନିଜ ଉକ୍ତି ପ୍ରତ୍ୟାହାର ।

ବ୍ରୀହି ଯବ ଶସ୍ୟ ସମ ମରଇ ମାନବ

ଶସ୍ୟ ସମ ହୁଏ ପୁଣି ତାହାର ଉଦ୍ଭବ ।

ଜନମ-ମରଣ-ବଶ ଅନୁକ୍ଷଣ ଲୋକ

ପେଷ ମୋତେ ଯମପୁରେ କର ନାହି ଶୋକ ।”

ପିତୃସତ୍ୟ ରକ୍ଷାଲାଗି ସେ ଯୋଗ୍ୟ ତନୟ

ଆଜ୍ଞା ଶିରେ ବହି ବେଗେ ଗଲେ ଯମାଳୟ ।

ନଚିକେତା ପ୍ରବେଶିଲେ ଯେବେ ଯମପୁରେ

ଥିଲେ ଯମ ପରବାସେ କାହିଁ ବହୁଦୂରେ ।

ବାହୁଡ଼ନ୍ତେ ତିନି ଦିନ ଅନ୍ତେ ନିଜ ବାସେ

ଭୃତ୍ୟଗଣ ଜଣାଇଲେ ଶମନ ସକାଶେ ।

“ଅଗ୍ନି ସମ ପ୍ରଭାଦୀପ୍ତି ରୂପ କାନ୍ତିମନ୍ତ

ବ୍ରାହ୍ମଣ ଅତିଥି ତବ ଗୃହେ ଉପଗତ ।

ତିନି ଦିନ ହେଲା ବିପ୍ର ଛନ୍ତି ନିରାଧାରେ

ପୂଜ ତାଙ୍କୁ ଜନ୍ତୁରାଣ ଉଚିତ ବେଭାରେ ।

ବ୍ରାହ୍ମଣ ଅତିଥି ଗୃହେ ହେଲେ ଅନାଦୃତ

ନାଶନ୍ତି ଅନଳ ପ୍ରାୟେ ସକଳ ସୁକୃତ ।

ଗୃହସ୍ଥର ଗୃହେ ଯେବେ ଅତିଥି ବ୍ରାହ୍ମଣ

ରହନ୍ତି ନ ପାଇ ଯଥାବିହିତ ଭୋଜନ ।

ସେ ମନ୍ଦମତିର ଯାଏ ସର୍ବ ଧର୍ମ ନାଶ

ନ ରହେ ତାହାର କେବେ ପଶୁ ପୁତ୍ର ଆଶ ।

ବାଞ୍ଛା ସିଦ୍ଧି ନୁହେ, ଆଶା ନ ହୁଏ ପୂରଣ

ପ୍ରିୟ ସତ୍ୟ ସମ୍ଭାଷଣ ତାର ଅକାରଣ ।

ଯଜ୍ଞ କଲେ ଯଜ୍ଞଫଳ ନ ହୁଏ ପ୍ରାପତ

ତଡ଼ାଗ ଉଦ୍ୟାନ ଦାନେ ନୁହେ ପୁଣ୍ୟବନ୍ତ ।

ନ ଲଭେ ଜୀବନେ କେବେ ସାଧୁସଙ୍ଗ ଫଳ

ବିଫଳ ହୁଅଇ ତାର ସୁକୃତସକଳ ।”

ବିଷମ ବାରତା ଶୁଣି ଭୃତ୍ୟଗଣ ମୁଖେ

ନଚିକେତା ସନ୍ନିଧାନେ ଯମରାଜା ଦୁଃଖେ ।

କହନ୍ତି କାତର ଚିତ୍ତେ ବିନୟ ବଚନ,

“ତିନି ଦିନ ନିରାହାର ମୋ ଗୃହେ ଆପଣ !

ଆପଣ ଅତିଥି ପୁଣି ବିଶେଷ ବ୍ରାହ୍ମଣ

ତେଣୁ ମୋର ନିତ୍ୟ ପୂଜା ଅର୍ଚ୍ଚନାଭଜନ ।

କ୍ଷମ ଅପରାଧ ବିପ୍ର, ନମେ ତବ ପଦ

ହେଉ ମୋର ସର୍ବ ଶୁଭ ନ ଘଟୁ ବିପଦ ।

ତିନି ରାତ୍ର ଲାଗି ଯାହା ଇଚ୍ଛା ତିନି ବାର

ମାଗ ହେ ଅତିଥି ଦେବି ସତ୍ୟ ଏ ମୋହର ।”

ଯମ ବାକ୍ୟେ ନଚିକେତା ଭାଷନ୍ତି ଏସନ

“ମୋଠାରେ ଆପଣ ଯେବେ ହେଲ ସୁପ୍ରସନ୍ନ ।

ପିତା ମୋର ବାଜସ୍ରବା ଗୌତମ ତାପସ

ମୋ ବିରହ-ଭାବନାରେ ନୁହନ୍ତୁ ଅବଶ ।

ନ ଜନମୁ ତାଙ୍କ ହୃଦେ କୋପ ମୋହ ପ୍ରତି

ରହନ୍ତୁ ସଦା ସେ ଶାନ୍ତ ସୁପ୍ରସନ୍ନମତି ।

ତବ ପୁରୁ ଫେରିଗଲେ ଦେଖି ମୋ ବଦନ

ଚିହ୍ନନ୍ତୁ କରନ୍ତୁ ପୁଣି ପ୍ରିୟ ସମ୍ଭାଷଣ ।

ମୋ ପ୍ରତି ସୁଦୟା ଯେବେ ତବ ଦଣ୍ଡଧର

ହେଉ ଆଜ୍ଞା ଦିଅ ମତେ ଏ ପ୍ରଥମ ବର ।”

କହେ ଯମ, “ନଚିକେତା ଦେଲି ମୁଁ ଏ ବର

ତବ ବିରହରେ ପିତା ନ ହେବେ କାତର ।

ସୁଖେ ପୁହାଇବେ ନିଶି ନିଶ୍ଚିନ୍ତ ଶୟନେ

ତୁମ୍ଭ ପ୍ରତି ପୂର୍ବ ପ୍ରୀତି ରଖିଥିବେ ମନେ ।

ମୃତ୍ୟୁମୁଖୁଁ ଲେଉଟିବା ଦେଖି ନିଜ ଘରେ

ନ କରି ସେ କୋପ, ନେବେ ତୁମ୍ଭଙ୍କୁ ସାଦରେ ।”

କହେ ପୁଣି ନଚିକେତା, “ସ୍ୱର୍ଗେ ନାହିଁ କ୍ଷୟ

ନାହିଁ ମୃତ୍ୟୁ, ନାହିଁ ଜରା, ନାହିଁ କିଛି ଭୟ ।

ନ ଜାଣନ୍ତି ସ୍ୱର୍ଗଲୋକେ କ୍ଷୁଧା ତୃଷା ପ୍ରାସ

ଅତିକ୍ରମି ଶୋକ ସଦା କରନ୍ତି ଉଲ୍ଲାସ ।

ଯେ ଅଗ୍ନି ପ୍ରସାଦେ ଲଭି ଅକ୍ଷୟ ଅମୃତ

ସ୍ୱର୍ଗଲୋକ ନିରନ୍ତର ହୁଏ କୃତକୃତ୍ୟ ।

ସେ ଅଗ୍ନି ଗଭୀର ତତ୍ତ୍ୱ ତୁମ୍ଭର ଗୋଚର

କହ ଏ ବିଶ୍ୱାସୀ ଜନେ-ଏ ଦ୍ୱିତୀୟ ବରା ।”

“ସ୍ୱର୍ଗ-ସିଦ୍ଧିଦାତା ଅଗ୍ନି ନିଗୂଢ ବୃତ୍ତାନ୍ତ

ଜାଣଇ ମୁଁ ନଚିକେତା” କହନ୍ତି କୃତାନ୍ତ ।

“ଲଭଇ ଅନନ୍ତ ସୁଖ ସ୍ୱର୍ଗଧାମେ ନର

ପ୍ରସନ୍ନ ହେଲେ ସେ ଦିବ୍ୟ ଅଗ୍ନି ବୈଶ୍ୱାନର ।

ସର୍ବ ଲୋକ ସ୍ଥିତି ହେତୁ ସେ ପୁଣ୍ୟ ପାବକ

ସର୍ବ ଅନ୍ତର୍ଯ୍ୟାମୀ ସର୍ବ ବୁଦ୍ଧି-ନିୟାମକ ।

କହୁଛି ଏହି ଯେ ତତ୍ତ୍ୱ ହେତୁ କରି ଜାଣ”

ଆବର ବୁଝାନ୍ତି ବିପ୍ରେ ଦେବ ଜନ୍ତୁରାଣ ।

ସର୍ବଲୋକ ଆଦି ହେତୁ ଅନଳ ବିଜ୍ଞାନ

ଯଜ୍ଞ ଇଷ୍ଟକର ସଂଖ୍ୟା ପ୍ରକାର ପ୍ରାମଣ ।

ଯଜ୍ଞ ଆମନ୍ତ୍ରିତ ଅଗ୍ନି ଅର୍ଚ୍ଚନ ବିଧାନ

ଯମ ମୁଖୁଁ ଶୁଣି ସବୁ ଗୂଢ ତତ୍ତ୍ୱ ଜ୍ଞାନ ।

ସ୍ଥିର ଚିତ୍ତେ ନଚିକେତା କରନ୍ତି ଆବୃତ୍ତି

ତୁଷ୍ଟ ହେଲେ ଯମରାଜା ଦେଖି ତାଙ୍କ କୃତି ।

ଯୋଗ୍ୟ ଶିଷ୍ୟ ନଚିକେତା ବୁଝିଲେ ଅନ୍ତରେ

କହିଲେ ମହାତ୍ମା ତାଙ୍କୁ ଅତି ପ୍ରୀତିଭରେ ।

“ତୁମ୍ଭଙ୍କୁ ଦେବି ମୁଁ ଆଜି ଅନ୍ୟ ଏକ ବର

ତବ ନାମ ବୋଲାଇବେ ସ୍ୱର୍ଗ-ବୈଶ୍ୱାନର ।

ନଚିକେତା ଅଗ୍ନି ବୋଲି ହେବ ସେ ବିଦିତ

ଲଭ କର୍ମମୟ ସ୍ୱର୍ଗ ଗତି ଆନନ୍ଦିତ ।

ପିତାମାତା ଗୁରୁଜନ ଆଜ୍ଞା ଘେନି ଶିରେ

ପୂଜେ ଯେ ତ୍ରିସନ୍ଧ୍ୟା ଅଗ୍ନି ନିୟତ ବିଧିରେ ।

ଯଜ୍ଞ ଦାନ ଅଧ୍ୟୟନେ ରତ ଅନୁକ୍ଷଣ

ତରଇ ସେ ଜନ୍ମ-ମୃତ୍ୟୁ ଦୁସ୍ତର ବନ୍ଧନ ।

ହିରଣ୍ୟ ଗରଭୁଁ ଜାତ ବିଶ୍ୱପ୍ରକାଶକ

ବିଶ୍ୱବନ୍ଦ୍ୟ ସର୍ବଜ୍ଞାତା ସେ ଦେବ ପାବକ ।

ଆତ୍ମାରୂପେ ପ୍ରାଣୀହୁଦେ ରାଜନ୍ତି ସତତ

ବୁଝି ଯେହୁ ଅନୁଭବେ ଆଣଇ ଏ ତତ୍ତ୍ୱ ।

ଲଭଇ ସେ ଅନୁପମ ଅଖଣ୍ଡ ସନ୍ତୋଷ

ଚିରଦିନ ଲାଗି ତୁଟେ ଭବିଭ୍ରାନ୍ତି ଦୋଷ ।

ବିହିତ ଇଷ୍ଟକେ ବେଦୀ କରି ଯେ ରଚନା

ସାଧେ ନଚିକେତା ଅଗ୍ନି ତ୍ରିବାର ଅର୍ଚ୍ଚନା ।

ଆତ୍ମଭାବେ ଧ୍ୟାୟେ ଚିତ୍ତ କରି ଏକ ଲୟ

ମୃତ୍ୟୁ-ପାଶ କାଟେ ସେହୁ ନୋହୁ ତନୁ କ୍ଷୟ ;

ରାଗ ଦ୍ୱେଷ ଆଦି ଯେତେ ଦୁଃଖର ନିଦାନ

ମାନବ ଜନମେ ତାର ପାଏ ଅବସାନ ।

ଶୋକେ ଦୁଃଖେ କେବେ ସେହୁ ନ ହୁଏ ବିହ୍ୱଳ

ଭୁଞ୍ଜେ ମର୍ତ୍ତ୍ୟେ ମହାମୋଦ ସ୍ୱର୍ଗଲୋକ ଫଳ ।

କହିଲି ଏ ନଚିକେତା ଅଗ୍ନି ବିବରଣ

ଲୋଡ଼ିଲେ ଦ୍ୱିତୀୟ ବରେ ଯେ ତତ୍ତ୍ୱ ଆପଣ ।

ତବ ନାମେ ହେବେ ଏହୁ ଅଗ୍ନି ଲୋକେ ଖ୍ୟାତ

କି ତୃତୀୟ ବର ମାଗ କହ ଏବେ ତାତ ।”

କହେ ନଚିକେତା, “ମନେ ଲାଗେ ମୋ ସନ୍ଦେହ

କି ହୁଏ ମାନବ ? ଯେବେ ତେଜେ ମରଦେହ ।

କହନ୍ତି କେତେକ ଆତ୍ମା ଯାଏ ପରଲୋକେ

ବିଶ୍ୱାସ କରନ୍ତି ନାହିଁ ପରଲୋକେ ଥୋକେ ।

ଚିରକାଳ ରହିଛି ଏ ସଂଶୟ ଜଗତେ

ଦିଅ ଉପଦେଶ ଯେହ୍ନେ ଯିବି ମୁଁ ପରତେ ।

ପରଲୋକ ତତ୍ତ୍ୱ ପ୍ରଭୁ ହେଉ ମୋ ଗୋଚର

ଦୟାକରି ଦିଅ ମୋତେ ଏ ତୃତୀୟ ବର ।”

କହେ ଯମ, “ପଚାରିଲ ଯେ ତତ୍ତ୍ୱ ଆପଣ

ସଂଶୟ-ଜଡ଼ିତ ତହିଁ ପୂର୍ବେ ଦେବଗଣ ।

ଆତ୍ମଧର୍ମ ତତ୍ତ୍ୱ ଏହୁ ସୂକ୍ଷ୍ମ ସୁଗହନ

ବୁଝିବେ ସହଜେ କାହିଁ ଜନ ସାଧାରଣ ?

ଏ ବର ନିମନ୍ତେ ଆଉ କଟାଳ ନ କର

ଛାଡ଼ି ଏହା ନଚିକେତା, ମାଗ ଅନ୍ୟ ବର ।”

ବୋଲେ ନଚିକେତା, “ଯାହା କହିଲ ଆପଣ

ଏ ତତ୍ତ୍ୱେ ସଂଶୟ ପୂର୍ବେ କଲେ ଦେବଗଣ ।

ଇତର ଜନର ଏହା ନୁହଇ ସୁଗମ

ସତ୍ୟ, ମାତ୍ର ତୁମ୍ଭ ପରି କାହିଁ ଅନ୍ୟତମ ।

ଏ ତତ୍ତ୍ୱର ଉପଯୁକ୍ତ ବକ୍ତା ଦଣ୍ଡଧର

ଏହା ବିନୁଁ ନାହିଁ ମୋର ଲୋଡ଼ା ଅନ୍ୟ ବର ।”

ବିଡ଼ିବାକୁ ନତିକେତା ହୃଦୟ-ଦୃଢ଼ତା

କହିଲେ ଦେଖାଇ ଲୋଭ ସେ ଯମ ଦେବତା ।

“ଶତ ବର୍ଷ ଦୀର୍ଘଜୀବୀ ପୁତ୍ର ପୌତ୍ରଚୟ

ମାଗ ଅଗଣିତ ଧେନୁ ସ୍ୱର୍ଣ୍ଣ ହସ୍ତି ହୟ ।

ମାଗ ହେ ଧରଣୀ ତଳେ ମହା ଆୟତନ

ଯେତେବେଳେ ଇଚ୍ଛା ରହ ଧରିଣ ଜୀବନ ।

ଅବା ଏହିପରି ଅନ୍ୟ ଯାହା ବାଞ୍ଛା ତବ

ମାଗ ଚିରାୟୁଷ, ମାଗ ଅତୁଳ ବିଭବ ।

ବିଶାଳ ମଣ୍ଡଳେ ତୁମ୍ଭେ ହୁଅ ଅଧିଶ୍ୱର

ପୂର୍ଣ୍ଣ କରିବି ମୁଁ ଯେତେ କାମନା ତୁମ୍ଭର ।

ଯେ ସୁଖ ସୌଭାଗ୍ୟ ନିତି ଲୋଡ଼ଇ ମାନବ

ମର୍ତ୍ତ୍ୟବାସୀ ନରେ ଯାହା ଅତ୍ୟନ୍ତ ଦୁର୍ଲ୍ଲଭ ।

ସ୍ୱଚ୍ଛନ୍ଦେ ମାଗ ସେ ସର୍ବ କର ଯା କାମନ

ଦେଖୁଅଛ ଏଥି ଯେତେ ଅମର-ଅଙ୍ଗନା ।

ଚାରୁରତ୍ନ ସୁଖଚିତ ସୁନ୍ଦର ସ୍ୟନ୍ଦନ

ଶୁଣୁଛ ଯେ ତୁରୀ ଭେରୀ ବାଦିତ୍ର ନିଃସ୍ୱନ ।

ମାନୁଷ ଦୁର୍ଲ୍ଲଭ ଏହୁ ଅଶେଷ ସମ୍ପଦ

ଖଟନ୍ତୁ ଏ ସର୍ବେ ବିପ୍ର ସଦା ତୁମ୍ଭ ପଦ ।

କିନ୍ତୁ ନଚିକେତା, ଘେନ ମୋର ନିବେଦନ

ନ ପଚାର ମୃତ୍ୟୁତତ୍ତ୍ୱ କଦାପି ଆପଣ ।”

କହେ ନଚିକେତା, “ଯେତେ ସମ୍ପଦ ସମ୍ଭୋଗ

କହିଲ ଅନ୍ତକ ନୁହେ ମୋର ଉପଯୋଗ ।

ମାନବ ଇନ୍ଦ୍ରିୟ ତେଜ, ଇନ୍ଦ୍ରିୟ ବିଳାସ

ବିଳାସ-ସାମଗ୍ରୀ, ସବୁ ଯାଏ କ୍ଷଣେ ନାଶ ।

ସଂସାର-ସମ୍ପଦରାଶି କ୍ଷଣକାଳସ୍ଥାୟୀ

ଆଜି ଅଛି ଯାହା ପୁଣି କାଲିକି ତା ନାହିଁ ।

ଯାଚୁଛ ପରମ ଆୟୁ ଆପଣ ଯେ ମତେ

କେତେବେଳେ ସ୍ଥାୟୀ ତାହା କହ ହେ ଜଗତେ ?

ବହ୍ମାୟୁଷ ହେଲେ ସୁଦ୍ଧା ପାଏ ଦିନେ କ୍ଷୟ

ନାହିଁ ମୋର ଲୋଡ଼ା ଆୟୁ ରଥ ହସ୍ତୀ ହୟ ।

ବାହନ ବନିତା ନୃତ୍ୟ ଗାତେ ପ୍ରୟୋଜନ

ନାହିଁ, ସେ ସକଳ ଥାଉ ତୁମ୍ଭର ଶମନ !

ବିଭବେ ନର ନ ପାଏ ତୃପତି

ବିଶେଷ ସାକ୍ଷାତ ତବ ଯେବେ ଜନ୍ତୁପତି !

ଘଟିଛି ମୋ ଭାଗ୍ୟେ, ବିତ୍ତ ମିଳିବ ନିଶ୍ଚୟ

ତବ ଯମପଣେ ମୋର ନାହିଁ ମୃତ୍ୟୁଭୟ ।

ତେଣୁ ମୋର ଅନ୍ୟ ବାଞ୍ଛା ନାହିଁ ଯମରାଜ !

ଦିଅ ଆଦ୍ୟେ ବର କହ ମୃତ୍ୟୁତତ୍ତ୍ୱ ଆଜ ।

ଅଜର ଅମରଗଣ ସନ୍ନିଧାନେ ଆସି

ଜରାମୃତ୍ୟୁ ଗ୍ରସ୍ତ କିଏ ଧରାତଳବାସୀ ?

ଜାଣି କ୍ଷଣସ୍ଥାୟୀ ସୁଖ ସୌଭାଗ୍ୟ ସମ୍ପତ୍ତି

ଧନ ଜନ ରୁପ ରାଜ୍ୟ ବରାଙ୍ଗନା ରତି ।

ବିବେକୀ ଲୋଡ଼ିବ କିମ୍ପା ସୁଦୀର୍ଘ ଜୀବନ

ବୁଝି ନିଜ ଲଭ୍ୟ ମହାମୁଖ୍ୟ ପ୍ରୟୋଜନ ?

ପରମ ଅଭୀଷ୍ଟ ସିଦ୍ଧି ହେବ ଯେ ଉପାୟେ

ପରଲୋକେ, ବତାଅ ସେ ତତ୍ତ୍ୱ ଯମରାୟେ !

ମରଣ ଅନ୍ତରେ ଆତ୍ମା ଥାଏ କି ନ ଥାଏ

ମର୍ତ୍ତ୍ୟେ ଲୟ ପାଏ କିବା ପରଲୋକ ଯାଏ ?

ଚିରଦିନ ମାନବର ରହିଛି ସଂଶୟ

ଅତି ଗୁରୁ ଗହନ ଏ ନିଗୂଢ ବିଷୟ ।

ଦିଅ ଉପଦେଶ, କର ସଂଶୟ ମୋଚନ

ନାହିଁ ମୃତ୍ୟୋ, ମୋର ଅନ୍ୟ ବରେ ପ୍ରୟୋଜନ ।

 

ପ୍ରଥମ ବଲ୍ଲୀ ସମାପ୍ତ

Image

 

ଦ୍ୱିତୀୟ ବଲ୍ଲୀ

 

ଜାଣିଲେ ପରୀକ୍ଷା କରି ଏବେ ଦେବ ଯମ

ନଚିକେତା ହୁଦ-ନିଷ୍ଠା ବୈରାଗ୍ୟ ସଂଯମ ।

ଉପଯୁକ୍ତ ଶିଷ୍ୟ ବୋଲି ବୁଝି ଦଣ୍ଡଧାରୀ

ବିଦ୍ୟା ଅବିଦ୍ୟାର ତତ୍ତ୍ୱ କହିଲେ ବିସ୍ତାରି ।

“ବ୍ରହ୍ମବିଦ୍ୟା କହେ ତେବେ ଶୁଣ ନଚିକେତ

ଯେ ନିଗମ ତତ୍ତ୍ୱଜ୍ଞାନ ତବ ଅଭିପ୍ରେତ ।

ଶ୍ରେୟ ତାହା ମାନବର ମୋକ୍ଷ ବିଧାୟକ

ପ୍ରେୟ ଯାହା ଲୋଡ଼େ ନର, ତହିଁରୁ ପୃଥକ ।

ଶ୍ରେୟ ପ୍ରେୟ ବେନିଭାବେ ଆବଦ୍ଧ ମାନବ

ପ୍ରେୟ ପଥେ ଲଭଇ ସେ ସଂସାର-ବିଭବ ।

ଶ୍ରେୟ ପଥ ଅନୁସରି କାଟେ ଭବପାଶ

ପାଏ ପୁରୁଷାର୍ଥ ଯା’ର ନାହିଁ କେବେ ନାଶ ।

ଲୋଡ଼ଇ ଯେ ପ୍ରେୟ ପଥ ଧନ ଦାରା ଲୋଭେ

ହରାଇ ପରମପଦ ପଡ଼େ ଚିରକ୍ଷୋଭେ ।

ମାନୁବ-ସମ୍ମୁଖେ ଅଛି ଶ୍ରେୟ ପ୍ରେୟ ବେନି

ବିବେକୀ ବିଚାର କରେ ଗୁଣ ଦୋଷ ଘେନି ।

ଗୁଣ ଦୋଷ ବୁଝି କରେ କର୍ତ୍ତବ୍ୟ ନିଶ୍ଚୟ

ହଂସ ଯଥା ପିଇ କ୍ଷୀର ଛାଡ଼ିଯାଏ ପୟ ।

ପ୍ରେୟ ତେଜି ଘେନି ଧୀର ଶ୍ରେୟକୁ ସାଦରେ

କାମବଶେ ମୂଢ଼ଜନ ପ୍ରେୟ ଅନୁସରେ ।

ଲୋଡ଼େ ମୂଢ ଧନ ଜନ ଅଙ୍ଗ ଉପଚୟ

ଧୀର ବାଞ୍ଛେ ମୋକ୍ଷପଦ ଅନନ୍ତ ଅକ୍ଷୟ ।

ଗୃହ ଧନ ରାଜ୍ୟଆଦି ରମ୍ୟ ବସ୍ତୁ ଚୟ

ରୁପସୀ ରମଣୀ ଅବା ସୁଯୋଗ୍ୟ ତନୟ ।

ରମ୍ୟ ଲୋଭନୀୟ ଯାହା ଦେଖଇ ମାନବ

ବୁଝିଅଛି ଚିରସ୍ଥାୟୀ ନୁହେ ସେ ସରବ ।

ତେଣୁ ମୁଁ ଯାଚିଲେ ସୁଦ୍ଧା ନ କଲ ଗ୍ରହଣ

ଧନ୍ୟ ତୁମ୍ଭେ ନଚିକେତା ବଡ଼ ବିଚକ୍ଷଣ ।

ଲୋଭାଇ ଯେ ମଣିମୟ ଗୁରୁ ରତ୍ନହାରେ

ବହୁ ମୂଢ଼ଜନ ବୁଡ଼ି ମରନ୍ତି ସଂସାରେ ।

ଦେଲେହେଁ ସେ ଭବପାଶ ଅତି ମନୋରମ

ନ ହେଲେ, ନ ହେଲା ତହିଁ ତବ ମତିଭ୍ରମ ।

ବିଦ୍ୟା ଅବିଦ୍ୟାର ତତ୍ତ୍ୱ କଲି ଯେ ବିବୃତି

ବିପରୀତ ଅଟଇ ସେ ଉଭୟ ପ୍ରକୃତି ।

ଉଜ୍ଜ୍ୱଳ ଆଲୋକ ଏଇ, ଅନ୍ୟ ଘୋର ତମ

ମୁକତି ଏକର ଫଳ, ଅନ୍ୟର ବନ୍ଧନ ।

ଜାଣିଲି ତୁମ୍ଭଙ୍କୁ ବିପ୍ର ବିଦ୍ୟା-ଅଭିଲାଷୀ

ନୁହ ନଚିକେତା, କାମସମ୍ଭୋଗ-ପ୍ରୟାସୀ ।

ବହୁ କାମ ପ୍ରଲୋଭନେ ନ ଟଳିଲା ମନ

ନ ଛାଡ଼ିଲ ଶ୍ରେୟପଥ ଧନ୍ୟ ବିଚକ୍ଷଣ ।

ପରିବୃତ ହୋଇ ଘୋର ଅଜ୍ଞାନ-ଅନ୍ଧାରେ

କାମ ଭୋଗେ ବିମୋହିତ ସଦା ଯେ ସଂସାରେ ।

ମଣନ୍ତି ନିଜକୁ ଧୀର ପଣ୍ଡିତ ପ୍ରବୀଣ

ଆଧି ବ୍ୟାଧି ଜରା ମୃତ୍ୟୁ ଦୁଃଖ ଚିରଦିନ ।

ଭୋଗନ୍ତି ସେ ଅବିବେକୀ ବହୁ ବିକ୍ରଗତି

ଏକ ଅନ୍ଧ ଆନ ଅନ୍ଧେ ଚଳାଏ ଯେ ମତି ।

ବାଳକ ସ୍ୱଭାବ ଯେହୁ, ନୁହେ ବୁଦ୍ଧି ମନ୍ତ

ମନ ଯାର ବିତ୍ତ ମୋହେ ମୋହିତ ସନ୍ତତ;

ପ୍ରମାଦଜଡ଼ିତ ମତି ଯେ ମୂଢ ପାମର

ନ ବୁଝେ ମରଣ ଅନ୍ତେ ଅଛି ଲୋକାନ୍ତର ।

ଏ ସଂସାର ସବୁ, ନାହିଁ ଆନ ଏହା ପରେ

ଏ ମୂଢ ବିଶ୍ୱାସ ନୋହୁ ଘୋଷଇ ଅନ୍ତରେ ।

ବାରମ୍ବାର ମୋର ବଣେ ଆସଇ ସେ ଜନ

ନ ତୁଟେ ତା ଜନ୍ମ-ଜରା-ମରଣ-ବନ୍ଧନ ।

ଆଶ୍ଚର୍ଯ୍ୟ ଏ ଆତ୍ମତତ୍ତ୍ୱ କେତେ ଲୋକେ ଜଣେ

କେବେ ବା ସୁଯୋଗ ପାଏ ଏ ତତ୍ତ୍ୱ ଶ୍ରବଣେ ।

ଶୁଣି ସୁଦ୍ଧା ଅତି ଅଳ୍ପ ବୁଝନ୍ତି ଏ ତତ୍ତ୍ୱ

ଆତ୍ମାର ଯଥାର୍ଥ ତତ୍ତ୍ୱ ପ୍ରକୃତ ମହତ୍ତ୍ୱ ।

ଆତ୍ମତତ୍ତ୍ୱ ପ୍ରକାଶକ ବକ୍ତା ବିଚକ୍ଷଣ

ଅତ୍ୟନ୍ତ ବରଳ, ମିଳେ କାହିଁ କିଦାଚନ ।

ସୁଯୋଗ୍ୟ କୁଶଳ ଶ୍ରୋତା ଜଗତେ ଦୁର୍ଲ୍ଲଭ

ଲଭି ଉପଦେଶ ପୁଣି ଆତ୍ମ ଅନୁଭବ ।

କୋଟିକେ ଗୋଟିଏ କରେ ବହୁତ ପ୍ରୟାସେ

ଯେ ତତ୍ତ୍ୱ ରହସ୍ୟ ବିପ୍ର ପୁଚ୍ଛିଲେ ମୋ ପାଶେ ।

ଇତର ପ୍ରାକୃତ ବୁଦ୍ଧି ଗୁରୁ ଉପଦେଶେ

ଆତ୍ମତତ୍ତ୍ୱ ପରକାଶ ନ ହୁଏ ବିଶେଷେ ।

ଆତ୍ମତତ୍ତ୍ୱ ନାନା ଭାବେ କରି ଯେହୁ ଧ୍ୟାନ

ବ୍ରହ୍ମରୁ ଆତ୍ମାକୁ କେବେ ନ ଦେଖନ୍ତି ଆନ ।

ସେହି ବିଚକ୍ଷଣ ଗୁରୁ ଦେଲେ ଉପଦେଶ

ସଂଶୟ ହୃଦୟେ ଆଉ ନ ରହଇ ଲେଶ ।

ଜଗତର ଭେଦବୁଦ୍ଧି ପାଏ ଅବସାନ

ସର୍ବତ୍ର ପ୍ରକଟ ଏକ-ବ୍ରହ୍ମ ଆତ୍ମ-ଜ୍ଞାନ ।

ଗୁରୁ ଉପଦେଶ ବିନା ତର୍କ ଅନୁମାନେ

ଅଥବା ଇନ୍ଦ୍ରିୟଗ୍ରାହ୍ୟ ପ୍ରତ୍ୟକ୍ଷ ପ୍ରମାଣେ ।

ନୁହଇ ଏ ଆତ୍ମତତ୍ତ୍ୱ ମାନବଗୋଚର

ତର୍କେ ବହୁ ଦୁର ଆତ୍ମା ସୂକ୍ଷ୍ମୁଁ ସୂକ୍ଷ୍ମତର। ।

ଆତ୍ମତତ୍ତ୍ୱ ଲଭେ ତବ ବଳିଛି ଯେ ମତି

ନୁହଇ କେବଳ ତର୍କେ କେବଳ ଏହାର ତୃପତି ।

ବ୍ରହ୍ମ ଆତ୍ମା ବେନି ମଧ୍ୟେ ନାହିଁ ଭେଦାଭେଦ

ଯେ ଆଚାର୍ଯ୍ୟ ଜାଣନ୍ତି ଏ ଗୂଢ ସାର ବେଦ ।

ତାଙ୍କ ଉପଦେଶ ପୂରେ ଏହୁ ଅଭିଳାଷ

ପୂର୍ଣ୍ଣ ଆତ୍ମଜ୍ଞାନ ଯେବେ ଅନ୍ତରେ ପ୍ରକାଶ ।

ପ୍ରିୟତମ ଧନ୍ୟ ତୁମ୍ଭେ, ଧନ୍ୟ ସତ୍ୟ ଧୃତି

ନାନା ଲୋଭେ ନ ଟଳିଲ, ତୁମ୍ଭେ ଏକା କୃତୀ ।

ନଚିକେତ ! ତୁମ୍ଭ ପରି ତତ୍ତ୍ୱ-ଅଭିଳାଷେ

ଶ୍ରଦ୍ଧାବନ୍ତ ଶିଷ୍ୟ ବହୁ ଆସନ୍ତୁ ମୋ ପାଶେ ।

ସ୍ୱର୍ଗଭୋଗ ନୁହେ ନିତ୍ୟ, ଜାଣଇ ମୁଁ ଭଲେ

ଲଭଇ ମାନବ ଯାହା ନିଜ କର୍ମଫଳେ ।

ବ୍ରହ୍ମପଦ ନିତ୍ୟ ସତ୍ୟ ସୁଧ୍ରୁବ ଶାଶ୍ୱତ

ନୁହେ ସେ ଅଧ୍ରୁବ କର୍ମ ସାଧନେ ପ୍ରାପତ ।

ନଚିକେତା ଅଗ୍ନି ଯେ ମୁଁ କଲି ଆରାଧନା

ଇଷ୍ଟକବେଦୀରେ କରି ସାଦରେ ସ୍ଥାପନା ।

ବହୁତ ଅନିତ୍ୟ ଦ୍ରବ୍ୟ ଦେଇ ଉପହାର

ମିଳିଛି ସେ ଫଳେ ମତେ ଯମ ଅଧିକାର ।

ମର୍ତ୍ତ୍ୟଭୋଗ ତୁଳନାରେ ଚିର ଯମପଦ

ଯଥାର୍ଥ ନୁହେ ଏ ନିତ୍ୟ ଶାଶ୍ୱତ ସମ୍ପଦ ।

ନଚିକେତ, ଧୈର୍ଯ୍ୟଗୁଣେ ଦୃଢ କରି ମନ

ବୁଝିଅଛ ଆତ୍ମାତତ୍ତ୍ୱ ତୁମ୍ଭେ ବିଚକ୍ଷଣ ।

ସମାପତ ଯହିଁ ନର କାମନାନିଚୟ

ନିଖିଳ ବିଶ୍ୱର ଯାହା ପରମ ଆଶ୍ରୟ, ।

ଲଭେ ନର ଆତ୍ମା ଯହିଁ ପରମ ସଂସ୍ଥିତି

ପରାହତ ଯହିଁ ଜନ୍ମ ଜରା ମୃତ୍ୟୁ ଭୀତି, ।

ଅଣିମାଦି ଯୁକ୍ତ ମହାବନ୍ଦନୀୟ ପଦ

ଯଜ୍ଞର ଅନନ୍ତ ଫଳେ ମିଳେ ଯେ ସମ୍ପଦ, ।

ଧୀର ଚିତ୍ତେ ଏସବୁର କରି ସୁବିଚାର

ସଂସାର ସଂଭୋଗରାଶି ଦୂରେ ପରିହାର ।

କରିଅଛ ନଚିକେତା, ଧନ୍ୟ ମହାମନା

ଧନ୍ୟ ତୁମ୍ଭ ସ୍ଥିର ମତି, ଧୀର ଆଲୋଚନା ।

ଯେ ଆତ୍ମା ସାକ୍ଷାତ ଲାଗି ତବ ଅଭିଳାଷ

ଅତି ସୂକ୍ଷ୍ମ ସୁମହତ ସେ ଆତ୍ମା ପ୍ରକାଶ ।

ପୁରି ରହିଅଛି ଆତ୍ମା ବିଶ୍ୱ ଅଭ୍ୟନ୍ତରେ

ବିଦ୍ୟମାନ ମାନବର ହୃଦୟ-କନ୍ଦରେ। ।

ବୁଦ୍ଧି ଉପଲବ୍‍ଧ ତେଣୁ ବୁଦ୍ଧି ଅଧିଗତ

ଅନାଦି ଆଦି କାରଣ ପୁରାଣ ଶାଶ୍ୱତ। ।

ଦୁଃସାଧ୍ୟ କଠିନ ଅତି ଆତ୍ମଦରଶନ

ଦେଖନ୍ତି ଆଧ୍ୟାତ୍ମ ଯୋଗେ ସିଦ୍ଧ ସାଧୁଜନ ।

ଲଭି ଆତ୍ମଦରଶନ ପ୍ରତ୍ୟକ୍ଷ ପ୍ରତୀକ

ହର୍ଷଶୋକ ତେଜି ଧୀର ହୁଏ ଦ୍ୱନ୍ଦାତୀତ। ।

ଗୁରୁ ମୁଖୁଁ ଉପଦେଶ ଶୁଣି ମର୍ତ୍ତ୍ୟ ନର

କରଇ ଆତ୍ମାର ସୂଷ୍ମ ସ୍ୱରୂପ ଗୋଚର। ।

ଶରୀରାଦି ଜଡ଼ବଶୁଁ ଆତ୍ମା ବିଲକ୍ଷଣ

ମହାମୋଦଦାୟୀ ବିଶ୍ୱଜଗତ ଧାରଣ। ।

ଆତ୍ମାର ସ୍ୱରୂପ ତତ୍ତ୍ୱ ବୁଝି ଜ୍ଞାନବନ୍ତ

ଲଭଇ ପରମ ସୁଖ ଅମୃତ ଅନନ୍ତ। ।

ନଚିକେତ, ପରିହରି କାମନାନିଚୟ

ବ୍ରହ୍ମଜ୍ଞାନେ ଅଧିକାରୀ ତୁମ୍ଭେ ନିଃସଂଶୟ ।

ଫିଟିଅଛି ତୁମ୍ଭ ଲାଗି ବ୍ରହ୍ମପୁର ଦ୍ୱାର

ମୋକ୍ଷ ଅଭିମୁଖୀ ତୁମେ କରେ ମୁଁ ବିଚାର।” ।

ଶୁଣି ଯମରାଜା ବାଣୀ ବୋଲେ ବିପ୍ରବର,

“କରିଛ ଅନ୍ତକ, ମୋର ପ୍ରଶଂସା ବିସ୍ତାର ।

ଯଥାର୍ଥରେ ଯୋଗ୍ୟ ବୋଲି ମତେ ଯେବେ ମଣ

ଯଥାର୍ଥରେ ମୋ ପ୍ରତି ଦେବ ଯେବେ ସୁପ୍ରସନ୍ନ, ।

କହ ତେବେ ମତେ ଆତ୍ମତତ୍ତ୍ୱ ବିବରଣ

ସର୍ବାପର ବୋଲି ଯାହା ଜାଣନ୍ତି ଆପଣ ।

ଧର୍ମାଧର୍ମ ବୋଲି ଯାହା ଶାସ୍ତ୍ରେ ନିରୂପିତ

ଅଟଇ ଯେ ଆତ୍ମତତ୍ତ୍ୱ ତହିଁରୁ ଅତୀତ,

କାର୍ଯ୍ୟ-କାରଣରୁ ଯେହୁ ତତ୍ତ୍ୱ ବିଲକ୍ଷଣ

ଭୂତ ଭବ୍ୟ ବର୍ତ୍ତମାନୁଁ ଯେହୁ ପୁଣି ଅନ୍ୟ,

ଯହିଁ ଅତିକ୍ରାନ୍ତ ଦେଶ କାଳ ବ୍ୟବହାର

କହ ମୃତ୍ୟୁଦେବ, ସେହି ଆତ୍ମତତ୍ତ୍ୱ ସାର। ।”

ବୋଇଲେ ଗଭୀରେ ଯମ ଏସନ ଉତ୍ତରେ,

“ଚାରି ବେଦ ଗାଏ ଉଚ୍ଚେ ଦୃଢ ସମସ୍ୱରେ

ଯେ ପଦ ଗରିମା, ଯାର ଏକାନ୍ତ ପ୍ରାପତି,

ବେଦମତେ ମାନବର ମୁଖତମ ଗତି ।

ତପ ବ୍ରହ୍ମଚର୍ଯ୍ୟ ଆଦି ବିବିଧ ସାଧନ

ଯେ ପଦ ପ୍ରାପତି ଆଶେ ଆଚରନ୍ତି ଜନ ।

ସଂକ୍ଷେପେ କହୁଛି ଶୁଣ-ସେ ପଦ ‘ଓଁ’ କାର

‘ଓଁ’ କାର ସାକ୍ଷାତେ ବ୍ରହ୍ମ, ବ୍ରହ୍ମ ପ୍ରତ୍ୟାକାର ।

ଯେ ଉତ୍ତମ ଅଧିକାରୀ ଓଁ କାର ସ୍ମରଣେ

ବ୍ରହ୍ମର ପ୍ରତ୍ୟକ୍ଷ ରୂପ ଆପଣାକୁ ମଣେ ।

ଓଁ କାରରେ ବ୍ରହ୍ମରୂପ କରି ଆରୋପଣ

ଅଳ୍ପ ଅଧିକାରୀ ଜନ କରିବ ଭଜନ ।

ଓଁ କାର ପରମ ବ୍ରହ୍ମ, ଓଁ କାର ଅପର,

ବୁଝିଣ ଏ ତତ୍ତ୍ୱ ଯେହୁ ପୂଜେ ଏ ଅକ୍ଷର, ।

ପୂରଣ ହୁଅଇ ତାର କାମନାନିଚୟ

ଥାଏ ନାହିଁ ପୁଣି ଜନ୍ମ-ଜରା-ମୃତ୍ୟୁଭୟ ।

ଅପର ପୂଜନେ ନର ଯାଏ ବ୍ରହ୍ମଲୋକେ

ପଡ଼େ ନାହିଁ ଆଉ କେବେ ଭବ-ଦୁଃଖଶୋକେ ।

ପର ଉପାସନେ ହୁଏ ସ୍ୱୟଂ ବ୍ରହ୍ମରୂପ

ଛିଣ୍ଡେ ଯେବେ ମୋହଜାଲ, ତୁଟେ ତମ ସ୍ତପ ।

ବ୍ରହ୍ମପ୍ରାପ୍ତି ସାଧନାର ମୁଖ୍ୟ ଆଲମ୍ବନ

ଓଁ କାରେ ଗଣଇ ମନ ସତତ ଯେ ଜନ ।

ହୁଏ ବ୍ରହ୍ମରୂପ ଲଭି ପୂର୍ଣ୍ଣ ବ୍ରହ୍ମଜ୍ଞାନ

କିବା ବ୍ରହ୍ମଲୋକେ ପାଏ ସମ ପୂଜ୍ୟ ସ୍ଥାନ ।

ଆତ୍ମଜ୍ଞାନ ଲାଭେ ଯେବେ ବିଶ୍ୱ ବ୍ରହ୍ମମୟ,

ନାହିଁ ଜନ୍ମ, ନାହିଁ ମୃତ୍ୟୁ, ନାହିଁ ବୃଦ୍ଧି-କ୍ଷୟ ।

ନାହିଁ ଅନ୍ୟ ହେତୁ ଯହୁଁ ଆତ୍ମାର ସମ୍ଭବ

ନୁହଇ ଆତ୍ମାରୁ ଅନ୍ୟ ସମୁଦ୍ଭବ ।

ଜନ୍ମ ବିରହିତ ଆତ୍ମା ନିତ୍ୟ ସନାତନ

ନିର୍ବିକାର ଶାଶ୍ୱତ ସେ ସର୍ବଦା ନୂତନ ।

ବିଶ୍ୱ ବସ୍ତୁ ରନ୍ଧ୍ରେ ରନ୍ଧ୍ରେ ଆତ୍ମା ସୁପ୍ରକାଶ

ଶରୀର ବିନାଶେ ଆତ୍ମା ଯାଏ ନାହିଁ ନାଶ ।

ଆତ୍ମଜ୍ଞାନହୀନ ଆତ୍ମା ସ୍ୱରୂପ ନ ଜାଣେ

ଜଡ଼ ଶରୀରକୁ ଆତ୍ମା ରୂପେ ପରମାଣେ ।

ଏସମ ବିମୂଢ ଯେବେ ଆନ ମୂଢେ ହାଣେ

ଏକ ‘ହତ୍ୟା କଲି’ ଆନ ‘ହତ ହେଲି’ ଜାଣେ ।

ଆପଣାକୁ ନ ଚିହ୍ନନ୍ତି ସେ ବେନି ଅଜ୍ଞାନେ,

ହୁଏ ନାହିଁ ଆତ୍ମା ହତ କିବା ନାହିଁ ହାଣେ ।

ସୂକ୍ଷ୍ମତମ ପରମାଣୁଁ ତହିଁ ସୂକ୍ଷ୍ମାକାର

ବୃହତ୍ତମୁଁ ବୃହତ୍ତର ଆତ୍ମାର ବିସ୍ତାର ।

ପ୍ରାଣିଗଣ ହୃଦେ ଆତ୍ମା ନିହିତ ନିୟତ

ଗିରି ଦରି ଅଭ୍ୟନ୍ତରେ ହର୍ଯକ୍ଷ ଯେମନ୍ତ ।

କାମ ତ୍ୟାଗେ ପରିପୃତ ଯାହାର ଅନ୍ତର

ଦୁଃଖ ଶୋକ ଅତିକ୍ରମ କରିଛି ଯେ ନର, ।

ଆତ୍ମାର ମହିମା ସେହୁ ଦେଖେ, ଉପଭୋଗେ

ପ୍ରସନ୍ନ ଇନ୍ଦ୍ରିୟ ମନ ଶୁଦ୍ଧ ବୁଦ୍ଧିଯୋଗେ ।

ଅଚଳ ସୁସ୍ଥିର ଆତ୍ମା କିନ୍ତୁ ଭ୍ରମେ ଦୂରେ

କାର୍ଯ୍ୟହୀନ ଗତିହୀନ ଯାଏ ତିନି ପୁରେ ।

ସ୍ଥିତି ଗତି ଆଦି ନାନା ଭାବ ବିପରୀତ

ଏକାଧାରେ ଏକାବେଳେ ଯହିଁ ସମନ୍ୱିତ ।

ସେ ଆତ୍ମାର ତତ୍ତ୍ୱ ଅତି ଅଭେଦ୍ୟ ଦୁସ୍ତର

ମୋ ବିନା ନୁହଇ ଅନ୍ୟ କାହାର ଗୋଚର ।

ଅନିଭ୍ୟ ନଶ୍ୱର ପ୍ରାଣୀ ଦେହେ ବିରାଜିତ

ନାହିଁ ରୂପ ନାହିଁ ତନୁ ବିକାର ବଜତ ।

ଦେଶକାଳ ଗୁଣେ ନୁହେ ଆତ୍ମା ପରିଚ୍ଛନ୍ନ

ସର୍ବବ୍ୟାପୀ ସର୍ବେଶ୍ୱର ସର୍ବାପର ଭିନ୍ନ ।

ବୁଝେ ଏହୁ ଆତ୍ମତତ୍ତ୍ୱ ସୁଧୀର ସୁଜ୍ଞାନୀ

ତରେ ଶୋକ, ଆପଣାକୁ ଆତ୍ମା ବୋଲି ଜାଣି ।

ମିଳେ ନାହିଁ ଆତ୍ମଲାଭ ଶାସ୍ତ୍ର ଅଧ୍ୟୟନେ

ଶାସ୍ତ୍ରାର୍ଥ ଶ୍ରବଣେ ଅବା କେବଳ ଧାରଣେ ।

ଆତ୍ମାର ସ୍ୱରୂପ ଜ୍ଞାନେ କରେ ଯେ ସାଧନା

ଦୁରେ ପରିହରି ହୁଦୁଁ ସକଳ କାମନା;

ନିଜ ପରମାର୍ଥ ରୂପ ସେ ସାଧକ ପାଶେ

ମୋହ ଅନ୍ଧକାର ନାଶି ଆତ୍ମା ପରକାଶେ;

ହୁଏ ତାର ଆତ୍ମଲାଭ, ଆପଣାକୁ ଆପେ

ଦେଖାଇ ସେ ଆତ୍ମାରାମ, ନ ପଡ଼େ ତ୍ରିତାପେ ।

ଦୁଶ୍ଚରିତ ପାପପଥୁଁ ନହେ ଯେ ବିରତ

ଶିକ୍ଷାବଳେ ନୁହେ ଯାର ଇନ୍ଦ୍ରିୟ ସଂଯତ ।

ନୁହେ ଯାର ଚିତ୍ତ ଦୃଢ ଏକାଗ୍ର ନିଶ୍ଚଳ

ତେଜି ନାହିଁ ମନ ଯାର ବିଷୟ ପଟଳ ।

ବୈରାଗ୍ୟେ ନିର୍ମଳ ଶାନ୍ତ ହୋଇ ନାହିଁ ମତି

ହୁଏ ନାହିଁ ତାର କେବେ ଆତ୍ମ ପରାପତି ।

ନିତ୍ୟ ସମାହିତ ଶାନ୍ତ ସୁକୃତ ସଂଯତ

ଲଭେ ବ୍ରହ୍ମଜ୍ଞାନ ବଳେ ଗଢ ଆତ୍ମତତ୍ତ୍ୱ ।

ବ୍ରାହ୍ମଣ କ୍ଷତ୍ରିୟ ଆଦି ଉତ୍ତମ ମଧ୍ୟମ

ଅଛନ୍ତି ଜଗତେ ଯେତେ ସ୍ଥାବର ଜଙ୍ଗମ ।

ଆତ୍ମାର ଆହାର ସର୍ବେ ଆତ୍ମାର ଅଧୀନ

ଆତ୍ମା ଅଭ୍ୟନ୍ତରେ ଜାତ ଆତ୍ମାରେ ବିଲୀନ ।

ନିଜ ମୃତ୍ୟୁ ଭବେ ଯେହୁ ସକଳ ବିନାଶେ

ଭଜେ ମୃତ୍ୟୁ ପଡ଼େ ଯେବେ ଆତ୍ମାର ଗରା ।

ଆତ୍ମା ଅନ୍ତର୍ଭୁତ ସୃଷ୍ଟି ସଂସ୍ଥିତି ପ୍ରଳୟ

ଲୋକେ ଯାହା ବିପରଯ୍ୟୟ ନୁହେ ତା ବିଲୟ ।

ଏସନ ସ୍ୱରୂପ ଆତ୍ମା ଯହିଁ ବିଦ୍ୟମାନ

ଦୁଃସାଧ୍ୟ ସାଧନେ ଲଭ୍ୟ ସେ ନିଗୂଢ ସ୍ଥାନ ।

ଇତର ଜନର ନୁହେ ସହଜ ଗୋଚର

ନଚିକେତ, ଜାଣି ଏହା ମନେ ହେତୁ କର ।

 

ଦ୍ୱିତୀୟ ବଲ୍ଲୀ ସମାପ୍ତ

Image

 

ତୃତୀୟ ବଲ୍ଲୀ

“ଶୁଣ ନଚିକେତ, ଜୀବ ପରମ ପ୍ରଭେଦ

ଭେଦିଲେ ଯେ ତତ୍ତ୍ୱ ଆଉ ନ ରହିବ ଖେଦ ।

ପରମାତ୍ମା ଜୀବଆତ୍ମା ଏକତ୍ର ଉଭୟେ

ପ୍ରବିଷ୍ଟ ମାନବ ବୁଦ୍ଧି –ଗୁଢ଼-ଗୃହାଶୟେ ।

ଉନ୍ମୁକ୍ତ ହୃଦୟାକଶେ ବେନିଙ୍କ ପ୍ରକାଶ

ଏକ ଭୁଞ୍ଜେ, ଆନ କରେ ଚିର ଉପବାସ ।

ସୁକୃତ ଦୁଷ୍କୃତ ଆଦି କର୍ମ ଫଳାଫଳ

ଦେହେ ଜୀବ ଭୋଗେ, ଦେଖେ ପରମ କେବଳ ।

ଅନ୍ଧକାର ଜୀବ, କିନ୍ତୁ ଆଲୋକ ପରମ

ବ୍ରହ୍ମଜ୍ଞାନୀ ନୁହନ୍ତି ଏ ଭେଦାଭେଦ ମର୍ମ ।

ଆବର ଯେ ପଞ୍ଚଅଗ୍ନି କରନ୍ତି ଅର୍ଚ୍ଚନା

କରନ୍ତି ଯେ ନଚିକେତା ଅଗ୍ନି ଆରାଧନା,

ସେ ସକଳ ଉପାସକ କର୍ମନିଷ୍ଠ ଜନ

ବଖାଣନ୍ତି ପରାପର ପ୍ରଭେଦ ଏସନ ।

ପରାପର ବ୍ରହ୍ମଜ୍ଞାନ ଦୁଃସାଧ୍ୟ ନିଶ୍ଚିତ

ନୁହେ କିନ୍ତୁ ମାନବର ସାଧନା ଅତୀତ ।

ଆରାଧି ଯେ ନଚିକେତା ଅଗ୍ନି ଯଜମାନ

ଦୁଃଖ-ସିନ୍ଧୁ ପାରେ ଲଭେ ମହାପୁଣ୍ୟ ସ୍ଥାନ,

ସେ ଅଗ୍ନିର ତତ୍ତ୍ୱ ବୁଝି ବିହିତ ଚୟନେ

ସମର୍ଥ ସକଳେ ଆମ୍ଭେ ରଖ ଏହା ମନେ ।

ଭବାର୍ଣ୍ଣବ ଆର ପାରେ ନାହିଁ ଯହିଁ ଭୟ

ଯାଏ ଜ୍ଞାନୀଜନ ଲଭି ଯେ ବ୍ରହ୍ମ ଆଶ୍ରୟ ।

ସେ ପର ଅକ୍ଷର ବ୍ରହ୍ମ ତତ୍ତ୍ୱ ଅଭିଜ୍ଞାନେ

ସକ୍ଷମ ହେ ନଚିକେତ, ସର୍ବେ ଆମ୍ଭେମାନେ ।

ଜୀବାତ୍ମା ଅପର ବ୍ରହ୍ମ ମିଳେ କର୍ମଫଳେ

ଲଭଇ ପରମ ବ୍ରହ୍ମ ଜ୍ଞାନୀ ଜ୍ଞାନବଳେ ।

ଏ ନର ଶରୀର ଏକ ଅପୂର୍ବ ସ୍ୟନ୍ଦନ

ଚକ୍ଷୁ ଆଦି ପଞ୍ଚ ଅଶ୍ୱ ଏଥିରେ ବାହନ ।

ଜୀବ ରଥୀ, ପୁଣି ବୁଦ୍ଧ ସାରଥି ଏ ରଥେ

ଦଉଡ଼ନ୍ତି ଅଶ୍ୱେ ରୂପ ରସ ଆଦି ପଥେ ।

ମନ-ଲଗାମକୁ ଟାଣି ସନ୍ତତ ସାରଥି

ନିରୋଧେ ଚଞ୍ଚଳ ଅଶ୍ୱ ବିଶୃଙ୍ଖଳିତ ଗତି ।

ଦେହ ମନ ଇନ୍ଦ୍ରିୟାଦି ଉପାଧି ଜଡ଼ିତ

ଜୀବ ଭୋଗେ ସୁଖ ଦୁଃଖ କହନ୍ତି ପଣ୍ଡିତ ।

ସାରଥି ଲଗାମ ସଦା ନ ଧଇଲେ କସି

ଅଳପେ କୋହଳ ଯେବେ ହୁଏ ମନ-ରସି ।

ଦୁର୍ଦ୍ଦାନ୍ତ ତୁରଙ୍ଗ ସମ ଇନ୍ଦ୍ରିୟସକଳ

ନ ରହି ସାରଥି ବଶେ ହୁଏ ଉଚ୍ଛୃଙ୍ଖଳ ।

ହିତାହିତ ଜ୍ଞାନ ହଜେ ଘଟିଲେ ଏ ଗତି

ଅଶ୍ୱ ସଂଚାଳନେ ମୂଢ ଯେସନ ସାରଥି ।

ସେହି ଜ୍ଞାନବନ୍ତ ଯାର ସୁସଂଯତ ମତି

ବୁଝଇ ସେହି ତା ହିତ ସୁଗତି ଦୁର୍ଗତି ।

ଇନ୍ଦ୍ରିୟସକଳ ତାର ସଦା ନିଜ ବଶ

ପ୍ରବୀଣ ସାରଥି ବଶେ ଯଥା ଶିଷ୍ଟ ଅଶ୍ୱ ।

ନୁହେ ଯେହୁ ସୁବିବେକ ଶୁଚି ଜ୍ଞାନବନ୍ତ

ନୁହେ ମନ ଯାର ସଦା ବିଦ୍ଧି ଅଧିଗତ ।

ସେ ପରମ ପଦ ପ୍ରାପ୍ତି ନ ହୁଏ ତାହାର

ଜନ୍ମ-ମୃତ୍ୟୁମୟ ଭବେ ଆସେ ବାରବାର ।

ଜ୍ଞାନବନ୍ତ ଶୁଚିବନ୍ତ ସଂଯମ ମାନସ

ଅନ୍ତରୁ ତୁଟୁଛି ଯାର ଅଜ୍ଞାନ-କଳ୍ପକ୍ଷ,

ସେ ପରମପଦ ଏକା ପାଏ ସେହି ରଥୀ

ନହି ଯହୁଁ ଜନ୍ମାନ୍ତର ଅବା ପ୍ରତ୍ୟାଗତି ।

ସୁବିବେକ ବୁଦ୍ଧି ଯାର ସାରଥି ନିରତ

ମାନସ ପ୍ରଗ୍ରହ ଯାର ଆପଣା ଆୟତ୍ତ ।

ସେହି ଏକା ଭାବ-ପଥ ସୀମା ପାରେ ଯାଏ

ପରମାତ୍ମା ବିଷ୍ଣୁପଦ ସେହି ଏକା ପାଏ ।

ରୂପ ରସ ଆଦି ଯେତେ ସମ୍ଭୋଗ୍ୟ ବିଷୟ

ପ୍ରକାଶ ହୁଅନ୍ତି ଲଭି ଇନ୍ଦ୍ରିୟ ଆଶ୍ରୟ ।

ଇନ୍ଦ୍ରୟର ଅର୍ଥ ଯେଣୁ ବିଷୟ ନିଚୟ

ସେ ସର୍ବେ ଇନ୍ଦ୍ରିୟୁଁ ବଳି ଶ୍ରେଷ୍ଠ ଅତିଶୟ ।

ଇନ୍ଦ୍ରିୟ ବିଷୟରଶି ମାନସ ଗୋଚର

ଇନ୍ଦ୍ରିୟାର୍ଥୁଁ ବଳି ତେଣୁ ମନ ଶ୍ରେଷ୍ଠତର ।

ଇନ୍ଦ୍ରିୟ ସାହାଯ୍ୟେ ମନ ଘେନଇ ବିଷୟ

ବିଷୟ ସମ୍ଭୋଗେ କିନ୍ତୁ ନାହିଁ ତା ନିଶ୍ଚୟ ।

ବୁଦ୍ଧି ପାଶେ ମନ କରେ ବିଷୟ ବହନ

ଭଲ ମନ୍ଦ ବୁଝି ବୁଦ୍ଧି କରେ ତା ଗ୍ରହଣ ।

ମନ ତହୁଁ ବୁଦ୍ଧି ତେଣୁ ଅଧିକ ପ୍ରଧାନ

ବୁଦ୍ଧି ପରେ ଦେହସ୍ଵାମୀ ଜୀବ ବିଦ୍ୟମାନ ।

ଜୀବାତ୍ମା ଇନ୍ଦ୍ରିୟ ଆଦି ସର୍ବୋପରି ସାର

ମନ ବୃଦ୍ଧି ଇନ୍ଦ୍ରିୟାଦି ଯାର ପରିଚାର ।

ହରିଣ୍ୟଗର୍ଭ ସେ ସର୍ବ ବୁଦ୍ଧି ମୂଳଭୁତ

ମହତ ଜୀବାତ୍ମା ପ୍ରକୃତି ସ୍ତମ୍ଭୁତ ।

ମହତ ଜୀବାତ୍ମା ତହୁଁ ବଳି ମହତ୍ତର

ପ୍ରକୃତି ଯାହାର ନାମ ରୂପ ଅଗୋଚର ।

ଅବ୍ୟକ୍ତ ପ୍ରକୃତି ନିତ୍ୟ ରହିଛି ଜଡିତ

ଓତପ୍ରୋତ ଭାବେ ପୂର୍ଣ୍ଣ ପରାତ୍ମା ସହିତ ।

ସୂକ୍ଷ୍ମ ବଟବୀଜ ଦେହେ ପ୍ରଚ୍ଛନ୍ନେ ଯେ ମତି

ନିହିତ ବିଶାଳ ଦ୍ରୁମ ଅଭୁତ ଶକତି ।

ଅବ୍ୟକ୍ତ ପ୍ରକୃତି ପରେ ପରୁଷ ପ୍ରଧାନ

ପରାତ୍ମା ଚିନ୍ମୟ ରୂପ ଅନାଦି ନିଦାନ ।

ପୁରୁଷ ଉପରେ ଆଉ ନାହିଁ ପରସ୍ଥାନ

ସୂକ୍ଷ୍ମତ୍ଵ ମହତ୍ତ୍ଵ ଆତ୍ମଭାବ ଅବସାନ ।

ଏହାହିଁ ସଂସାରୀ ଜୀବ ପରମ ଆଶ୍ରୟ

ନାହିଁ ଯହୁଁ କେବେ ଆଉ ପ୍ରତ୍ୟାଗମ ଭୟ ।

ପରମାତ୍ମା ସର୍ବଭୂତେ ଛନ୍ତି ବିଦ୍ୟମାନ

ଭୁଗର୍ଭେ ଉଜ୍ଵଳ-ରତ୍ନ ସମ୍ପଦ ସମାନ ।

ମୃତ୍ତିକାର ଆବରଣେ ଥିଲେ ରତ୍ନରାଶି

ନ ଦିଶଇ ଜନନେତ୍ରେ ଯେସନ ଉଦ୍ଭାସି ।

ଇନ୍ଦ୍ରିୟ ବିଷୟ ମୋହେ ଆବୃତ୍ତ ତେସନ

ନ ଦେଖନ୍ତି ପରମାତ୍ମା ରୂପ ସର୍ବଜନ ।

ସୂକ୍ଷ୍ମୁଁ ସୂକ୍ଷ୍ମତର, ତହୁଁ କ୍ରମେ ସୂକ୍ଷ୍ମତମ

ଇନ୍ଦ୍ରିୟରୁ କ୍ରମେ ଯେହୁ ଭେଦନ୍ତି ପରମ ।

ସେହି ଯୋଗସିଦ୍ଧ ଧୀର ସୂକ୍ଷ୍ମଦର୍ଶୀ ଜନ

ସୂକ୍ଷ୍ମ ବୁଦ୍ଧି ବେଳେ ଆତ୍ମା କରନ୍ତି ଦର୍ଶନ ।

ଇନ୍ଦ୍ରିୟ, ଇନ୍ଦ୍ରିୟ-ଅର୍ଥ, ମନ, ବୁଦ୍ଧି, ଜୀବ

ଅବ୍ୟକ୍ତ ପରୁଷ କ୍ରମେ ସୂକ୍ଷ୍ମତ୍ଵ ବୁଝିବ ।

ଏକୁଁ ଏକ ସୂକ୍ଷ୍ମତର ଶେଷ ସୂକ୍ଷ୍ମତମ

ପୁରୁଷ ଅନ୍ତିମ ନିଷ୍ଠା ପ୍ରଧାନ ପରମ ।

ସ୍ଥୂଳର କାରଣ ସୂକ୍ଷ୍ମ ସୂକ୍ଷ୍ମୁଁ ସ୍ଥୂଳ ଜାତ

ଏ ନିୟମେ ହୁଏ ସୃଷ୍ଟିତତ୍ତ୍ଵ ପ୍ରତିଭାତ ।

ବୁଝି ପ୍ରାଜ୍ଞାଜନ ଏହି ସୃଷ୍ଟି ତତ୍ତ୍ଵଗତି

ସାଧିଲେ ସଂଯମ ହୁଏ ପରମ ପ୍ରପାତି ।

ଇନ୍ଦ୍ରିୟସକଳ କର ମନ ଅଧିଗତ

ବୁଦ୍ଧି ସୁଶାସନେ ମନ ରଖିବ ସଂଯତ ।

ମହତ ହିରଣ୍ୟଗର୍ଭ ଜୀବାତ୍ମା ଶାସନେ

ନିବେଶିବ ବୁଦ୍ଧି ଯଥା ବିହିତ ନିୟମେ ।

ନିବେଶିବ ଅନ୍ତେ ପୁଣି ଶୁଦ୍ଧ ଆତ୍ମଜ୍ଞାନେ

ଶାନ୍ତ ପରମାତ୍ମା ତହିଁ ଯତି ଯୋଗଧ୍ୟାନେ ।

ପ୍ରକାଶିବ ତେବେ ଶୁଦ୍ଧ ଜ୍ଞାନ ସୁନିର୍ମଳ

ପବିତ୍ର ଦିଶିବ ଏକ ଆତ୍ମା ଢଳଢଳ ।

ତୁଟିବ ଅଶେଷ ମୋହ ଫୁଟିବ ସଦଜ୍ଞାନ

ହେବ ନାମରୂପ କ୍ରିୟା ଚିର ତିରୋଧାନ ।

ଉଠ ହେ ମୁମୁକ୍ଷୁ ତେବେ ଜାଗ ହେ ସତ୍ୱର

ଚିର ଘୋର ମୋହନିଦ୍ରା ଦୂରେ ପରିହର ।

ବରେଣ୍ୟ ବ୍ରହ୍ମଜ୍ଞ ଗୁରୁ ପଦାଶ୍ରୟେ ଆସି

ପ୍ରବୁଦ୍ଧ ଜାଗ୍ରତ ହୁଅ ହେ ମୋକ୍ଷପ୍ରୟାସୀ ।

କହନ୍ତି ତ୍ରିକାଳଦର୍ଶୀ କ୍ଷୁରଧାର ସମ

ବ୍ରହ୍ମତତ୍ତ୍ୱ ମାର୍ଗ ଏହୁ ଶାଣିତ ଦୁର୍ଗମ ।

ସୁଦୃଢ ସାଧନା ବିନା ଅସାଧ୍ୟ ଅତ୍ୟୟ

ଉଠ ନର ଜାଗ ଲାଗ ସିଦ୍ଧି ସୁନିଶ୍ଚୟ ।

ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ବିବର୍ଜ୍ଜିତ

ଇନ୍ଦ୍ରିୟ ଅଜ୍ଞେୟ ନିତ୍ୟ ଆଦ୍ୟନ୍ତ ରହିତ ।

ନାହିଁ ଯାର ଜନ୍ମ ନାଶ, ଚିର ନିରାମୟ

ନାହିଁ ରୂପାନ୍ତର, ଧ୍ରୁବ, ଅବ୍ୟୟ ଅକ୍ଷୟ ।

ମହତ ବୁଦ୍ଧିରୁ ଯେହୁ ଭିନ୍ନ ମହତ୍ତର

ଉଦ୍ଭାସେ ଯେ ସାକ୍ଷୀରୂପେ ନିଖିଳ ଅନ୍ତର ।

ଶ୍ରବଣ ମନନ ଧ୍ୟାନେ କରି ସୁନିଶ୍ଚୟ

ଦେଖିଲେ ଥରେ ସେ ବ୍ରହ୍ମସ୍ୱରୂପ ଚିନ୍ମୟ ।

ମୃତ୍ୟୁ ମୁଖଁ ଲଭେ ଜୀବ ଚିର ଅବ୍ୟାହତି

ଅବିଦ୍ୟା ପଟଳ ତୁଟେ ମିଳେ ମୋକ୍ଷଗତି ।

ଋଷିପୁତ୍ର ନଚିକେତେ ଅନ୍ତକ କଥିତ

ସୁପବିତ୍ର ସନାତନ ଏ ଚାରୁ ଚରିତ ।

ଯେ ମେଧାବୀ ଶ୍ରଦ୍ଧାଯୁକ୍ତେ ଶୁଣେ ବା ଶୁଣାଏ

ବ୍ରହ୍ମରୂପେ ବ୍ରହ୍ମଲୋକେ ନିତ୍ୟ ପୂଜା ପାଏ ।

ପରମ ନିଗୂଢ ଏହୁ ତତ୍ତ୍ୱ ସୁମହତ

ଶ୍ରଦ୍ଧାରେ ଯେ ଜନ ମନ କରି ସୁସଂଯତ,

ବ୍ରାହ୍ମଣ ସମାଜେ ପଢି କରାଏ ବ୍ୟାଖ୍ୟାନ

ଶ୍ରାଦ୍ଧକାଳେ କହେ ବା ଏ ପୁଣ୍ୟ ଉପାଖ୍ୟାନା,

ସେ ସୁକୃତେ ସୁବିସ୍ତର ଫଳ ହୁଏ ପ୍ରାପ୍ତ

କଠୋପନିଷଦ ଆଦ୍ୟ ଅଧ୍ୟାୟ ସମାପ୍ତ ।

 

ପ୍ରଥମ ଅଧ୍ୟାୟ

ତୃତୀୟ ବଲ୍ଲୀ ସମାପ୍ତ

 

 

 

ଦ୍ୱିତୀୟ ଅଧ୍ୟାୟ

ପ୍ରଥମ ବଲ୍ଲୀ

ସ୍ୱୟମ୍ଭୁ ଯେକାଳେ କଲେ ଜଗତ କଳ୍ପନା

ବାହ୍ୟ ଅଭିମୁଖେ କଲେ ଇନ୍ଦ୍ରିୟ ରଚନା ।

ହୋଇଛି ଇନ୍ଦ୍ରିୟଗଣ ପ୍ରଥମୁ ଆହତ

ତେଣୁ ବାହ୍ୟ ବସ୍ତୁ ମୁଖେ ଧାଏଁ ଅବିରତ ।

ବାହ୍ୟ ବିଷୟକୁ ଜୀବ ଦେଖେ ଅନୁକ୍ଷଣ

ନ ଦେଖଇ ଅନ୍ତରାତ୍ମା ଫିଟାଇ ନୟନ ।

ଅମୃତତ୍ତ୍ୱ ଅଭିଳାଷୀ କେହି ଅବାଧର

ବିଷୟ ଫେରାଇ ନେତ୍ର କରି ମନ ସ୍ଥିର ।

ନିରୋଧ ଇନ୍ଦ୍ରିୟଗଣେ ହୋଇ ଏକ ଲୟ

ଦେଖନ୍ତି ଅନ୍ତରେ ଆତ୍ମା ଚିଦାନନ୍ଦମୟ ।

ଚପଳ ବାଳକମତି ଅବିବେକୀ ନରେ

ଅନୁରାଗ ପ୍ରକାଶନ୍ତି ବାହ୍ୟ ବିଷୟରେ ।

ସୁଖଶର୍ଯ୍ୟା ଧନ ମାନ ବନିତା ବିଳାସ

ଏ ଆଦି ଅନିତ୍ୟ କାମେ କରନ୍ତି ପ୍ରୟାସ ।

ସୁବିସ୍ତୀର୍ଣ୍ଣ ମୃତ୍ୟୁପାଶେ ହୁଅନ୍ତି ସେ ବନ୍ଦୀ

ଅବିଦ୍ୟା-ଅନ୍ଧାରେ ବୃଥା କାମକର୍ମେ ଛନ୍ଦି ।

ଜନ୍ମ ମୃତ୍ୟୁ ଜରା ବ୍ୟାଧି ଯନ୍ତ୍ରଣା ଅପାର

ଲଭନ୍ତି ଏ ମର୍ତ୍ତ୍ୟଧାମେ ଆସି ବାରମ୍ବାର ।

ବିବେକୀ ପୁରୁଷ ତେଣୁ ତେଜି ଭୋଗରାଶି

ଅମୃତତ୍ତ୍ୱ ଲାଗି ହୁଏ ଏକାନ୍ତ ପ୍ରୟାସୀ ।

ଜାଣନ୍ତି ସେ ସ୍ୱର୍ଗ ନାହିଁ ପ୍ରକୃତ ଅମୃତ

ପୁଣ୍ୟକ୍ଷୟେ ସ୍ୱର୍ଗ ଜୀବ ହୁଏ ପ୍ରତ୍ୟାବୃତ୍ତ ।

ଆତ୍ମଲାଭେ ମିଳେ ଏକା ଚିର ଅମୃତତ୍ତ୍ୱ

ବୁଝି ଜ୍ଞାନୀ ଜନ ଏହି ସଚ୍ୟ ସାରସତ୍ତ୍ୱ ।

ଆତ୍ମୀ ଧ୍ରୁବ ଅନ୍ୟ ସବୁ ଅଧ୍ରୁବ ଜଗତେ

ନିର୍ଦ୍ଧାର୍ଯ୍ୟ ଜାଣି ଏ ତଥ୍ୟ ନିଜ ହୃଦୟଗତେ,

ଅନିତ୍ୟ ବିଷୟେ କେବେ ନ କରେ କାମନା

ଲୋଡ଼େ ନାହିଁ ପୁତ୍ର ବିତ୍ତ ଲୋକ ସମ୍ଭାବନା ।

ବିଜ୍ଞାନ ସ୍ୱରୂପ ଆତ୍ମା, ଆତ୍ମାର ପ୍ରେରଣେ

ଜାଣନ୍ତି ବିଷୟରାଶି ଅନୁଭବେ ଜନେ। ।

ମୈଥୁନ ସମ୍ଭୃତ ଅଙ୍ଗ ପୁଲକ ପରଶ

ଜିହ୍ୱା ଅନୁଭୂତ ସ୍ନିଗଧ ସୁମଧୁର ରସ। ।

ଚାରୁ ପ୍ରିୟ ରୂପରାଶି ନୟନମୋହନ

ସୂକ୍ଷ୍ମ ସୁଲଳିତ ଶବ୍ଦ କର୍ଣ୍ଣ ରସାୟନ। ।

ସୁରଭି ନାସିକା ମୋଦ ସୁଗନ୍ଧ ସମ୍ଭାର

ଇନ୍ଦ୍ରିୟ ବିଷୟ ଏ ଯେ ବିବିଧ ପ୍ରକାର ।

ଆତ୍ମାର ପ୍ରଭାବେ ଲୋକ ହୁଏ ଅବଗତ

ଆତ୍ମଜ୍ଞାନେ ପ୍ରକାଶେ ଏ ନିଖିଳ ଜଗତ ।

ଆତ୍ମା ଅଧିଗମେ ମୋକ୍ଷ ଲଭିଲେ ମାନବ

ସକଳ ଜ୍ଞାତବ୍ୟ ତାର ହୁଏ ଅନୁଭବ ।

ଏହି ସେ ସର୍ବଜ୍ଞ ଆତ୍ମା ପରମ ଆଶ୍ରୟ

ଜାଣି ନଚିକେତା ମନୁଁ ତୁଟାଅ ସଂଶୟ ।

ହୁଏ ଯେତେ ଅନୁଭୂତି ସ୍ୱପ୍ନ ଜାଗରଣେ

ଜାଣେ ସେ ସମସ୍ତେ ଲୋକ ଆତ୍ମାର ପ୍ରେରଣେ ।

ମହତ ମହେଶ ଆତ୍ମା ସର୍ବ ମୂଳାଧାର

ଜାଣି ଏହା ତରେ ଧୀର ଶୋକ-ପାରାବାର ।

ଜୀବାତ୍ମା ସକଳ ଘଟେ ଛନ୍ତି ବିଦ୍ୟମାନ

ଭୂତ ଭବ୍ୟ ବର୍ତ୍ତମାନ ତ୍ରିକାଳ ଈଶାନ ।

ଭୋଗନ୍ତି ସେ ସୁଖ ଦୁଃଖ କର୍ମଫଳ ନିତି

ଜାଣି ଏହା ଦେଖେ ଯେହୁ ହୃଦେ ତାଙ୍କ ସ୍ଥିତି ।

ବ୍ରହ୍ମଜ୍ଞାନ ଫଳେ ତାର ତୁଟେ ସର୍ବ ଭୟ

ବିଶ୍ୱେ ସର୍ବଭୂତ ସେହୁ ଦେଖେ ବ୍ରହ୍ମମୟ ।

ଦ୍ୱୈତଜ୍ଞାନେ ଭୟ ପାଏ ଏକ ତହୁଁ ଆନ

ଭାଙ୍ଗେ ଭୟ ଉପୁଜିଲେ ବ୍ରାହ୍ମାତ୍ମୈକ ଜ୍ଞାନ ।

ଏହି ସେହି ଆତ୍ମତତ୍ତ୍ୱ ଦେବେ ଅଗୋଚର

ବୁଝି ନଚିକେତ,ଏହା ଦୃଢେ ହୃଦେ ଧର ।

ଏ ବିଚିତ୍ର ସୃଷ୍ଟି ଯେବେ ନ ଥିଲା ପ୍ରକାଶ

ଥିଲା ନାହିଁ ଜଳ ସ୍ଥଳ ପବନ ଆକାଶ ।

ଯୋଗମଗ୍ନ ଯେବେ ଏକା ବ୍ରହ୍ମ ଜ୍ଞାନମୟ

ପର୍ବତହୁଁ ହେଲା ଯାର ପ୍ରଥମେ ଉଦୟ ।

ହିରଣ୍ୟଗର୍ଭ ସେ ଆଦ୍ୟ ସ୍ୱୟମ୍ଭୁ ସମ୍ଭୁତ

ଯାର ପରେ ସୃଷ୍ଟ ହୁଏ ପଞ୍ଚ ମହାଭୂତ ।

ହିରଣ୍ୟଗର୍ଭାଖ୍ୟ ସେହି ପୁରୁଷ ପ୍ରଧାନ

ସର୍ବ ପ୍ରାଣୀ ହୃଦେ ପଶି କଲେ ଅଧିଷ୍ଠାନ ।

ଲଭି ପଞ୍ଚଭୂତମୟ ଦେହାଦି ସଂଯୋଗ

କରନ୍ତି ସେ ଶବ୍ଦ ଆଦି ବିଷୟ ସମ୍ଭୋଗ ।

ଦେଖେ ଯେହୁ ଏ ପୁରୁଷେ ନିତ୍ୟ ହୃଦାକାଶେ

ତା ନେତ୍ର ପରମବ୍ରହ୍ମ ସର୍ବତ୍ର ଉଭାସେ ।

ହିରଣ୍ୟଗର୍ଭ ସେ ବ୍ରହ୍ମୁଁ ସମ୍ଭବ ପ୍ରଥମ

ତହୁଁ ଦେବାସୁର ନର ସ୍ଥାବର ଜଙ୍ଗମ ।

ଶବ୍ଦାଦି ଅଦନୁଁ ଖ୍ୟାତି ଅଦିତି ନାମରେ

ପ୍ରାଣରୂପେ ପ୍ରକାଶିଲେ ସକଳ ଅନ୍ତରେ ।

ପଞ୍ଚ ମହାଭୂତ ସଙ୍ଗେ ମିଳି ସେ ଅଦିତି

ପ୍ରାଣୀ ହୃଦୃ-ଗୁହାଶୟେ କଲେ ଅବସ୍ଥିତି ।

ସେ ଆଦ୍ୟ ଦେବତା ରୂପ ଦେଖେ ଯେଉଁ ଜନ

ସେହି ଏକା କରେ ଆତ୍ମା ସ୍ୱରୂପ ଦର୍ଶନ ।

ଗର୍ଭବତୀ ନାରୀ ଯଥା ସୁପକ୍ୱ ଭୋଜନେ

ଗର୍ଭସ୍ଥ ତନୟ ପାଳେ ନିତି ସୁଯତନେ ।

ନାନା ହବନୀୟ ଦ୍ରବ୍ୟ ଆହୁତି ପ୍ରଦାନେ

ସଦାଚାର ଶୁଚିବନ୍ତ ହୋଇ ସାବଧାନେ ।

ପୋଷନ୍ତି ଯାଜ୍ଞିକେ ତଥା ଯଜ୍ଞେ ହୁତାଶନ

ଆରଣି ଉଦରୁ କରି ମନ୍ତ୍ରେ ଆବାହନ ।

ସାଧୁ ଜ୍ଞାନୀଜନେ ପୁଣି ସଦା ଏକ ଲୟେ

ବିରାଟ ପୁରୁଷେ ତଥା ପୂଜନ୍ତି ହୃଦୟେ ।

କରନ୍ତି ଏ ରୂପେ ଯାର ଅର୍ଚ୍ଚନା ସନ୍ତତ

କର୍ମୀ ଜ୍ଞାନୀଗଣେ ବତ ଧ୍ୟାନ ସୁସଂଯିତ ।

ଅନ୍ତରେ ଅଧ୍ୱରେ ଯାର ନିତ୍ୟ ଅଧିଷ୍ଠାନ

ଯାତଦେବା ଆତ୍ମା ସେହି ନଚିକେତ ଜାଣ ।

ପ୍ରାଣୁ ସୂର୍ଯ୍ୟ ପ୍ରତିଦିନ ହୁଅନ୍ତି ଉଦିତ

ପ୍ରାଣେ ପୁଣି ପ୍ରତିଦିନ ଯାନ୍ତି ଅସ୍ତମିତ ।

ଦିବା ନିଶି ସମସୃଷ୍ଟି ପ୍ରଳୟ ବିଧାନ

ପ୍ରାଣୁଁ ସୂର୍ଯ୍ୟ ସୃଷ୍ଟ ପୁଣି ପ୍ରାଣେ ତିରୋଧାନ ।

ଇନ୍ଦ୍ର ଅଗ୍ନି ବରୁଣାଦି ଦେବତା-ଜଗତେ

ପ୍ରକାଶ ଇନ୍ଦ୍ରିୟ ଯେତେ ପ୍ରାଣୀ ଦେହଗତେ ।

ବର୍ତ୍ତି ରହିଛନ୍ତି ସର୍ବେ ପ୍ରାଣେ ଆଶ୍ରା କରି

ତୁମ୍ଭ ଅବଲମ୍ବେ ଯଥା ଚକ୍ରେ ଅରାବଳି ।

ପ୍ରାଣ ସର୍ବବ୍ୟାପୀ ବ୍ରହ୍ମ ସକଳ ଆଶ୍ରୟ

ଯହିଁ ସର୍ବ ବିଶ୍ୱ ସୃଷ୍ଟି ସଂସ୍ଥିତି ପ୍ରଳୟ ।

ପ୍ରାଣେ ବଳି ହୋଇପାରେ କିଏ ଅତିଗାମୀ

ସେ ଯେ ସର୍ବାତ୍ମକ ବ୍ରହ୍ମ ସର୍ବ ଅନ୍ତର୍ଯ୍ୟାମୀ ।

ବ୍ରହ୍ମରୁ ସ୍ଥାବରଯାଏ ସର୍ବତ୍ର ସମାନ

ଏକ ଅଦ୍ୱିତୀୟ ଆତ୍ମା ସର୍ବଭୂତ ପ୍ରାଣ ।

ଯେ ଆତ୍ମା ଚୈତିନ୍ୟ ରୂପ ହୃଦେ ପ୍ରତିଫଳେ

ଚନ୍ଦ୍ରବିମ୍ବ ଝଳେ ଯଥା ସରୋବର ଜଳେ ।

ଈଶ୍ୱର-ଚୈତନ୍ୟ ତହୁଁ ନୁହଇ ସେ ଭିନ୍ନ

ମାୟାବେଶ ଦିଶେ ଜୀବ କେବଳ ବିଚ୍ଛିନ୍ନ ।

ଜୀବ କାର୍ଯ୍ୟ, ପରମାତ୍ମା ଚୈତନ୍ୟ କାରଣ

ନାହିଁ ସେ ଉଭୟେ ଭେଦ ନାହିଁ ତହିଁ ଅନ୍ୟ ।

ଅଜ୍ଞାନେ ପ୍ରଭେଦ ତହିଁ ଦେଖେ ଯେଉଁ ଜନ

ମରଣାନ୍ତେ ବାରବାର ଭେଟେ ସେ ମରଣ ।

ବ୍ରହ୍ମ ତହୁଁ ଆପଣାକୁ ନ ମଣେ ଯେ ଆନ

ଦେଖେ ନିଜ ହୃଦେ ପର୍ଣ୍ଣ ବ୍ରହ୍ମ ବିଦ୍ୟମାନ ।

ସର୍ବ ହୃଦେ ଦେଖେ ପୁଣି ପର୍ଣ୍ଣ ବ୍ରହ୍ମରୂପ

ଅତିକ୍ରମେ ସେହି ଏକା ଭବ-ଅନ୍ଧକୂପ ।

ଗୁରୁ ଉପଦେଶ ଶାସ୍ତ୍ରବିହିତ ବିଧାନେ

ମାନସ ସଂଯମ ଶୁଦ୍ଧ କରି ଏକଧ୍ୟାନେ ।

ବ୍ରହ୍ମଜ୍ଞାନ ଲାଭେ ସୁଧୀ ହୁଅନ୍ତି ସକ୍ଷମ

ତିରୋହିତ ହୁଏ ତେବେ ହୁଦୁଁ ଭେଦ ଭ୍ରମ ।

ଅପସୃତ ହେଲେ ଘୋର ଅଜ୍ଞାନ-ଅନ୍ଧାର

ସର୍ବତ୍ର ପ୍ରକାଶେ ବ୍ରହ୍ମ ଅଖଣ୍ଡ ଆକାର ।

ଅଜ୍ଞାନ ପ୍ରଭାବେ ଭେଦ ଦେଖେ ଯେଉଁ ଜନ

ମରଣାନ୍ତେ ବାରବାର ଭେଟେ ସେ ମରଣ ।

ଦେହ ଅଭ୍ୟନ୍ତରେ ହୃଦପଦୁ ବିଦ୍ୟମାନ

ଜୀବାତ୍ମା ପୁରୁଷ ତହିଁ ଅଙ୍ଗୁଷ୍ଠ ପ୍ରମାଣ ।

ଭୂତ ଭବ୍ୟ ବର୍ତ୍ତମାନ ତ୍ରିକାଳ ଈଶାନ

ତୁଟେ ଭୟ ହେଲେ ଜୀବ-ବ୍ରହ୍ମ ଏକ ଜ୍ଞାନ ।

ଜୀବାତ୍ମା ପୁରୁଷ ସେହି ଅଙ୍ଗୁଷ୍ଠ ପ୍ରମାଣ

ନିର୍ଧୂମ ଉଜ୍ଜ୍ୱଳ ଜ୍ୟୋତି ପ୍ରାଏ ତେଜସ୍ମାନ ।

ଭୂତ ଭବ୍ୟ ବର୍ତ୍ତମାନ ତ୍ରିକାଳ ଈଶ୍ୱର

ଆଜି ସେହି କାଲି ସେହି ନିତ୍ୟ ଅନଶ୍ୱର ।

ନାହିଁ ଆତ୍ମା ସମ କିବା ଆତ୍ମା ଭିନ୍ନ ଆନ

ସର୍ବତ୍ର ସର୍ବଦା ଏକ ଆତ୍ମା ବର୍ତ୍ତମାନ ।

ପର୍ବତ ଦୁର୍ଗମ ଶିଖେ ବରଷିଲେ ବାରି

ନାନା ଧାରେ ବହେ ସ୍ରୋତ ନାନା ଦିଗଚାରୀ ।

ଗିରିପଦେ ନିମ୍ନ ଦେଶେ ଧାଏଁ ଛିନ୍ନ ଭିନ୍ନ

ନାଶଯାଏ ଅବଶେଷ ହୁଏ କାହିଁ ଲୀନ,

ତେସନ ଅସଂଖ୍ୟ ଦେହେ ନାନା ଅଭିମୁଖେ

ଭ୍ରମଇ ସେ ନର ଚିରଜନ୍ମ ମୃତ୍ୟୁ-ଦୁଃଖେ ।

ଦେଖେ ଯେ ବିଭିନ୍ନ ଦେହେ ବ୍ରହ୍ମ ଭେଦାଭେଦ

ଲଭେ ନାନା ଯୋନି, ସହେ ଅସରନ୍ତି ଖେଦ ।

ସର୍ବଭୂତେ ଦେଖେ ଯେହୁ ଆତ୍ମା ନିତ୍ୟ ଏକ

ସେହି ନଚିକେତ, ମୁନି ଜ୍ଞାନୀ ସୁବିବେକ ।

ଶୁଦ୍ଧୋଦକେ ମିଶିଗଲେ ଯଥା ଶୁଦ୍ଧୋଦକ

ହୁଏ ଏକ ରୂପ ଆଉ ନ ରହେ ପୃଥକ ।

ଏକୀଭୂତ ହୁଏ ତଥା ବ୍ରହ୍ମେ ସେହି ଜନ

ସର୍ବତ୍ର ଦେଖେ ଯେ ଏକ ଆତ୍ମା-ସନାତନ ।

 

ପ୍ରଥମ ବଲ୍ଲୀ ସମାପ୍ତ

Image

 

ଦ୍ୱିତୀୟ ବଲ୍ଲୀ

 

କି ବିଚିତ୍ର ପୁର ଏହି ନର କଳେବର

ପ୍ରାସାଦ ପ୍ରାକାର ଦୂରେ ସଜ୍ଜିତ ସୁନ୍ଦର ।

ସଂଯୋଜିତ ଯଥା ସ୍ଥାନେ ଏକାଦଶ ଦ୍ୱାର

ଘେରି ରହିଅଛି ପୁଣି ସପତ ପ୍ରକାର ।

ଯଥାସ୍ଥାନେ ସୁଶୋଭିତ ଗଭୀର ପରିଖା

ମଣିପୁର ଆଦି ନାମେ କେତେ ଅଟ୍ଟାଳିକା ।

କେତେ କନ୍ଦି, କେତେ ଯନ୍ତ୍ର, କେତେ ଗୁପ୍ତ ସ୍ଥାନ

ତରୁ ଲତା ଆଚ୍ଛାଦିତ ସୁଚାରୁ ଉଦ୍ୟାନ ।

ରହିଛନ୍ତି ପ୍ରତି ଦ୍ୱାରେ ସୁଚତୁର ଦ୍ୱାରୀ

ଜାଣ କି କିଏ ଏ ଦେହ-ପୁର ଅଧିକାରୀ ।

ସେ ଚୈତନ୍ୟମୟ ଆତ୍ମା ଏଥି ଅଧିପତି

ନାହିଁ ଯାର କ୍ଷୟ ବୃଦ୍ଧି ବିନାଶ ଉତ୍ପତ୍ତି ।

ଦେହ ଅଭ୍ୟନ୍ତରେ ଯାର ହେଲେହେଁ ନିବାସ

ଆଦିତ୍ୟ ପରାଏ ନିତ୍ୟ ପ୍ରତ୍ୟକ୍ଷ ପ୍ରକାଶ ।

ସର୍ବଭୂତେ ଏକ ଆତ୍ମା ଦୃଢ ମନେ ଧରି

ବ୍ରହ୍ମଧ୍ୟାନ କରେ ଯେହୁ ମୋହ ପରିହରି ।

ଏ ଜୀବନେ ମୁକ୍ତ, ସେହୁ ପଡ଼େ ନାହିଁ ଶୋକେ

ଅକ୍ଷୟ କୈବଲ୍ୟ ଭୁଞ୍ଜେ ଗଲେ ପରଲୋକେ ।

ଭବେ କଦାଚିତେ ଆଉ ନ ଲଭେ ଉତ୍ପତ୍ତି

ପରମବ୍ରହ୍ମରେ ମିଳେ, ପାଏ ମୋକ୍ଷଗତି ।

ନର ଦେହ ନୁହେଁ ଏକା ଆତ୍ମାର ନିବାସ

ସର୍ବତ୍ର ସମାନ ଆତ୍ମା ବିଶ୍ୱେ ପରକାଶ ।

ସର୍ବବ୍ୟାପୀ ସର୍ବଗାମୀ ସର୍ବ ଅଧିଷ୍ଠାନ

ଉଜ୍ଜ୍ୱଳ ଦ୍ୟୁଲୋକେ ଆତ୍ମା-ରବି ଅଂଶୁମାନ ।

ଅନ୍ତରୀକ୍ଷେ ସମୀରଣ ଅନଳ ଅଧ୍ୱରେ

ସେହି ଏକା ପ୍ରତିଷ୍ଠିତ ବିଶ୍ୱବେଦୀ ପରେ ।

ଉଜ୍ଜ୍ୱଳ ପବତ୍ର ସୋମଯୋଗେ ଶୁଦ୍ଧାଧାରେ

ନରଦେହେ ବରଦେହେ ପ୍ରକାଶ ସଂସାରେ ।

ସତ୍ୟେ ଆତ୍ମା ଅବସ୍ଥିତ ଆକାଶେ ସଂଚାର

ବିଶ୍ୱ ମହାମୁଖେ ଆତ୍ମା ଯଦି ଉପଚାର ।

ଜଳେ ସ୍ଥଳେ ଧରାଧାରେ ହୁଏ ଯେ ଉଦ୍ଭବ

ସରିତ ନିର୍ଝର ମୀନ ମୁକ୍ତା ବ୍ରୀହି ଯବ ।

ସ୍ଥାବର ଜଙ୍ଗମ ଆଦି ଯେତେ ବସ୍ତୁଚୟ

ସେ ସକଳେ ଏକମାତ୍ର ଆତ୍ମାର ଉଦୟ ।

ସର୍ବଭୂତମୟ କିନ୍ତୁ ସତ୍ୟ ସନାତାନ

ଏକ ଅଦ୍ୱିତୀୟ ନିତ୍ୟ ଅପରିବର୍ତ୍ତନ ।

ସର୍ବ ମୂଳାଧାର ସେହି ସକଳ ନିଦାନ

ତବ ଜିଜ୍ଞାସିତ ବସ୍ତୁ ବ୍ରହ୍ମ ସୁମହାନ ।

ନିଗୂଢ ଏ ବ୍ରହ୍ମତତ୍ତ୍ୱ ସ୍ଥିର କରି ମନ

କର ନଚିକେତ, ଏହା ହୃଦୟେ ଧାରଣ ।

ଜୀବାତ୍ମା ପୁରୁଷ ରହି ହୃଦୟ-କମଳେ

ପେଷେ ପ୍ରାଣବାୟୁ ଊର୍ଦ୍ଧ୍ୱେ ଅପମାନକୁ ତଳେ ।

ମୁମୁକ୍ଷୁବରେଣ୍ୟ ନିଜେ ମଧ୍ୟେ ସମାସୀନ

ଦେବରୂପୀ ଇନ୍ଦ୍ରିୟାଦି ଯାହାର ଅଧନ ।

ଲାଗିଥାନ୍ତି ନିରନ୍ତର ଆପଣା ବ୍ୟାପାରେ

ଭୃତ୍ୟଗଣ ଖଟେ ଯଥା ପ୍ରଭୁ ଉପଚାରେ ।

ଦେହେନ୍ଦ୍ରିୟ ପ୍ରାଣ ଆଦି ଆତ୍ମାରୁ ବିଭିନ୍ନ

ସର୍ବପରେ ଆତ୍ମାସ୍ୱାମୀ ସ୍ୱତନ୍ତ୍ର ସ୍ୱାଧୀନ ।

ଗୃହ ତେଜି ଗୃହସ୍ୱାମୀ ହୋଇଲେ ଅନ୍ତର

ପଳାନ୍ତି ସେବକେ କିଏ କାହିଁ ଛାଡ଼ି ଘର ।

ସୁନା ଘର ହୋଇଯାଏ ଚୂନା ସେହିକ୍ଷଣେ

ମୋର ବୋଲି କହିବାକୁ ରହେ ନାହିଁ ଜଣେ ।

ଛାଡ଼ିଗଲେ ଦେହ ତଥା ଦେହ ଅଧୀଶ୍ୱର

କିଏ ଏଥି ରହେ ବାକି ଜଗିବାକୁ ଘର ?

ସ୍ୱାମୀ ଥିଲାବେଳେ ଯେହୁ ଥାଆନ୍ତି ଗରବେ

ସ୍ୱାମୀ ଗଲେ ପଛେ ପଛେ ଯାନ୍ତି ସେ ସରବେ ।

ମନ ପ୍ରାଣ ଇନ୍ଦ୍ରିୟାଦି ନ ରହନ୍ତି କେହି

ଗଲେ ଯେହୁ, ସେହି ଆତ୍ମା ସେହି ଏକା ଦେହୀ ।

ପ୍ରାଣାପାନ ବାୟୁ ବଳେ ବଞ୍ଚି ନାହିଁ ନର

ଜୀଇଁଛି ଯା ଯୋଗେ ପ୍ରାଣପାନୁ ସେ ଇତର ।

ନରଦେହେ ପରମାତ୍ମା ଜୀବନ ନିଦାନ

ଯାହାର ଆଶ୍ରୟେ ପିଣ୍ଡେ ରହେ ପ୍ରାଣାପାନ ।

ବହୁ ଉପାଦାନେ ଗଢା ପଦାର୍ଥନିଚୟ

ଆହାର ଉଦ୍ୟାନ ଶର୍ଯ୍ୟା ବସନ ଆଳୟ ।

ଲାଗେ ନାହିଁ କେବେ ଯଥା ନିଜ ପ୍ରୟୋଜନେ

ଲୋଡ଼ାହୁଏ ସଦା ଅନ୍ୟ ସଂଭୋଗସାଧନେ ।

ପ୍ରାଣପାନ ଇନ୍ଦ୍ରିୟାଦି ତଥା ସହଯୋଗେ

ଅବିରତ କାର୍ଯ୍ୟେ ରତ ଆତ୍ମା ଉପଭୋଗେ ।

ଏ ସକାଳୁଁ ଆତ୍ମା ଭିନ୍ନ ନିତ୍ୟ ଅସଂହତ

ପ୍ରାଣାପାନ ଆଦି ସର୍ବେ ଆତ୍ମାର ଆୟତ୍ତ ।

ଗୁହ୍ୟ ସନାତନ ବ୍ରହ୍ମତତ୍ତ୍ୱ ଗଉତମ

କହେ ଏବେ ଶୁଣ ଯେଶେ ଯିବ ମନୁ ଭ୍ରମ ।

ଲଭିଲେ ଯେ ଜ୍ଞାନ ମିଳେ ଚିର ମୋକ୍ଷପଦ

ପାରହୁଏ ଜୀବ ଜନ୍ମ ମରଣ-ବିପଦ ।

ବ୍ରହ୍ମଜ୍ଞାନ ବିନା ଦେହୀ ମରି ପୁଣ ପୁଣ

ଭଜେ ଯେ ଦୁର୍ଗତି କହେଁ ନଚିକେତ, ଗୁଣ ।

ଆପଣା ଆପଣା ଜ୍ଞାନ କର୍ମ ଅନୁସାରେ

ବାରବାର ଲଭେ ଜୀବ ଜନ୍ମ ଯୋନିଦ୍ୱାରେ ।

ଆଉ ଥୋକେ ଜୀବ ପୁଣି ଜ୍ଞାନ-କର୍ମ-ଫଳେ

ଉଦ୍ଭିଦ ସ୍ଥାବର ରୂପେ ଉପୁଜେ ଭୂତଳେ ।

ନୁହେଁ, ଯେତେ ଦିନ ଯାଏ ସର୍ବ କର୍ମକ୍ଷୟ

ନୁହେଁ ଯେତେ ଦିନ ବ୍ରହ୍ମଜ୍ଞାନ ସମୁଦାୟ,

ଭ୍ରମେ ଜୀବ ଏହିପରି ଯୋନି ଶତ ଶତ

ପୂର୍ଣ୍ଣଜ୍ଞାନେ ହୁଏ ଶେଷେ ବନ୍ଧନମୂକତ ।

ନିଦ୍ରାର ଉତ୍ସଙ୍ଗେ ନର ଲଭିଲେ ଆରାମ

ପ୍ରାଣ ଇନ୍ଦ୍ରିୟାଦି ଭଜେ କାର୍ଯ୍ୟରୁ ବିରାମ ।

ପ୍ରାଣେନ୍ଦ୍ରିୟଗଣ ଯେବେ ନିଦ୍ରା ଅଭିଭୂତ

ସ୍ୱପନେ ଯେ ସୃଜେ ଭୋଗ୍ୟ ବିଷୟ ଅଦ୍ଭୁତ ।

ଭୋଗେ ଇଚ୍ଛାମତେ ଯେହୁ ଇଷ୍ଟ ସୁଖରାଶି

ସେହି ଶୁଦ୍ଧ ସମୁଜ୍ଜ୍ୱଳ ବ୍ରହ୍ମ ଅବିନାଶୀ ।

ଭୂଲୋକ ଦ୍ୟୁଲୋକ ଆଦି ସର୍ବେ ବ୍ରହ୍ମାଶ୍ରିତ

ନୁହେ ନଚିକେତ, କିଛି ବ୍ରହ୍ମରୁ ଅତୀତ ।

ଶରୀର ବିଭେଦେ ଆତ୍ମା ନୁହେ ଭିନ୍ନ ଭିନ୍ନ

ସକଳ ଅନ୍ତରେ ଆତ୍ମା ଏକ ଅବିଚ୍ଛିନ୍ନ ।

ଜଗତର ଅନ୍ତର୍ଗତ ଅଗ୍ନି ଯଥା ଏକ

ରୂପଭେଦେ କାଷ୍ଠାଦିରେ ପ୍ରକାଶେ ଅନେକ ।

ତଥା ଏକ ଆତ୍ମା ସର୍ବଭୂତ ଅଭ୍ୟନ୍ତରେ

ଶରୀର ବିଭେଦେ ଦିଶେ ବିଭିନ୍ନ ରୂପରେ ।

ଶରୀର ଆକାର ବର୍ଣ୍ଣେ ଆତ୍ମା ଅବାଧିତ

ଆକାଶ ପରାଏ ମୁକ୍ତ ବିକାରରହିତ ।

ଏକା ବାୟୁ ରହିଛି ଯେ ସାରା ବିଶ୍ୱ ଭରି

ବସ୍ତୁଭେଦ ଭିନ୍ନ ରୂପେ ପ୍ରକଶେ ଯେପରି,

ସେହିପରି ଆତ୍ମା ଏକ ସର୍ବ ଭୂତାନ୍ତରରେ

ଶରୀର ବିତ୍ତେ ଯେ ଦିଶେ ବିଭିନ୍ନ ରୂପରେ ।

ଆତ୍ମାକୁ ପରଶେ ନାହିଁ ଦେହ ରୂପ ଗୁଣ

ଆକାଶ ପରାଏ ଆତ୍ମା ଉନ୍ମୁକ୍ତ ଅକ୍ଷୁର୍ଣ୍ଣ ।

ସୂର୍ଯ୍ୟାଲୋକେ ଦୃଷ୍ଟିଶକ୍ତି ପ୍ରକାଶେ ନୟନ

ପ୍ରତି ପ୍ରାଣୀ ନେତ୍ରେ ନିତି ବିଭାସେ ତପନ ।

ଦୃଷ୍ଟିଦୋଷେ ମନ-ନେତ୍ର ହୁଏ ବିଚଳିତ

ସହସ୍ରାଂଶୁ କେବେ କିନ୍ତୁ ନ ହୁଏ ଦୂଷିତ ।

ଏକ ଆତ୍ମା ସର୍ବଭୂତେ ବିରାଜିତ ତଥା

କର୍ମ ଫଳାଫଳେ ତାକୁ ନ ଲାଗଇ ବ୍ୟଥା ।

ଲୋକ ସୁଖ ଦୁଃଖେ ଆତ୍ମା ନ ହୁଏ କ୍ଷୋଭିତ

ଆକାଶ ସମାନ ଆତ୍ମା ସଙ୍ଗବିରହିତ ।

ଜଳାଶୟ କଳ୍ପେ ନର ସିକତା ପ୍ରାନ୍ତରେ

ନୀଳାକାଶ ଦେଖେ ଦୂର ମଳିନ ପଥରେ ।

ରଜ୍ଜୁ ଦେଖି ସର୍ପ ବୋଲି ପାଏ ମନେ ଭୟ

ଶୌକ୍ତିକେ ରଜତ ବୋଲି କରେ ସୁନିଶ୍ଚୟ ।

ବୁଦ୍ଧିଦୋଷେ ଘଟଇ ଏ ଦୃଷ୍ଟି ବିପର୍ଯ୍ୟୟ

ରଜ୍ଜୁ ଆଦି ଦିଶେ ଯେବେ ଯାଏ ଭ୍ରମ କ୍ଷୟ ।

ବିପରୀତ ବୁଦ୍ଧି ଯୋଗେ ଦୁଷ୍ଟି ବିପରୀତ

ବୁଦ୍ଧିଦୋଷେ ରଜ୍ଜୁ ଆଦି ନ ହୁଏ ଦୂଷିତ ।

ନଚିକେତ,ଏହିପରି ଆତ୍ମଗତି ଜାଣ

ସୁଖ ଦୁଃଖ ଆଦି ସବୁ ଅବିଦ୍ୟା ଭିଆଣ ।

ସୁଖ ଦୁଃଖ ଲିପ୍ତ ନୁହେ ଆତ୍ମା ନିର୍ବିକାର

ପ୍ରକାଶେ ଏ ସତ୍ୟ ଗଲେ ଅବିଦ୍ୟା-ଅନ୍ଧାର ।

ସର୍ବଭୂତ ଅନ୍ତରାତ୍ମା ସର୍ବମୂଳାଧାର

ଯାର ବଶେ ଆତଯାତ ନିଖିଳ ସଂସାର ।

ବିଶୁଦ୍ଧ ବିଜ୍ଞାନ ରୂପେ ନିଜେ ନିତ୍ୟ ଏକ

ନାମ ରୂପ ଆଦି ଭେଦେ ହୁଅନ୍ତି ଅନେକ ।

କରେ ସେ ଅଖଣ୍ଡ ବ୍ରହ୍ମ ସ୍ୱରୂପଦର୍ଶନ,

ନିଜ ହୃଦେ ମୁକ୍ତାକାଶେ ଯେ ବିବେକୀ ଜନ ।

ସ୍ୱଚ୍ଛ ଦରପଣେ ଦେଖେ ଯଥା ନିଜ ମୁଖ

ଲଭେ ସେ ଶାଶ୍ୱତ ଶାନ୍ତି ଆତ୍ମାନନ୍ଦ ସୁଖ ।

ବିଷୟେ ଆସକ୍ତ ଅନ୍ୟ ଅବିବେକୀ ନରେ

ନ ଦେଖନ୍ତି ଆତ୍ମରୂପ ଆପଣା ଅନ୍ତରେ ।

ପାଇବେ ଶାଶ୍ୱତ ସୁଖ କାହୁଁ ସେ ଅଧମ

ନ ଚିହ୍ନି ନିଜକୁ ନିଜେ ଅଜ୍ଞାନ ବିଭ୍ରମ ।

ସୁରାସୁର ନର ଅବା ଜଙ୍ଗମ ସ୍ଥାବର

ଚରାଚର ବିଶ୍ୱଲୋକେ ସକଳ ନଶ୍ୱର ।

ଆତ୍ମା ଏକା ଅନଶ୍ୱର ସମସ୍ତ ନଶ୍ୱରେ

ଆତ୍ମା ଏକା ନିତ୍ୟ ସର୍ବ ଅନିତ୍ୟ ଅନ୍ତରେ ।

ସମସ୍ତ ଚେତନେ ଆତ୍ମା କେବଳ ଚେତନା

ଏକ ଆତ୍ମା ପୂର୍ଣ୍ଣକରେ ଅସଂଖ୍ୟ କାମନା ।

ଆତ୍ମଦର୍ଶୀ ଜ୍ଞାନୀ ଜନେ ମିଳେ ନିତ୍ୟସୁଖ

ଆତ୍ମଜ୍ଞାନମୂଢ ତହୁଁ ସତତ ବିମୁଖ ।

ସେ ଶାଶ୍ୱତ ଆତ୍ମାନନ୍ଦ ସେ ସୁଖ ଅଶେଷ

ଇତର ଜନ ବା କିଏ କରିବ ନିର୍ଦ୍ଦେଶ ?

ବିତକାମ ଜିତେନ୍ଦ୍ରିୟ ଆତ୍ମଦର୍ଶୀ ଜ୍ଞାନୀ

ଏହି ସେହି ସୁଖ ବୋଲି କହନ୍ତି ପ୍ରମାଣି ।

ଯତିଗଣ ଅନୁଭୂତ ସେ ସୁଖ ଶାଶ୍ୱତ

କି ଉପାୟେ କି ରୂପେ ମୁଁ ହେବି ଅବଗତ ।

ସେ ପରମ ସୁଖ ନିଜେ ପାଏ କି ପ୍ରକାଶ

ନରଲଭ୍ୟ କି ସେ ? ସତେ କରିବି ବିଶ୍ୱାସ ।

‘ମୁଁ’ ବୋଲି ମାନବେ ଯେବେ ଆତ୍ମ-ବୁଦ୍ଧି ଫୁଟେ

ଆସେ କି ସେ ସୁଖ ? ସତେ ଚିର ଦୁଃଖ ତୁଟେ ।

ନ ହୁଅ ଅଧୀର ନର ନ ତେଜ ବିଶ୍ୱାସ

ଆନନ୍ଦମୟ ସେ ଆତ୍ମା ନିତ୍ୟ ସ୍ୱ-ପ୍ରକାଶ ।

ଆପଣେ ଉଦ୍ଭାସେ ଆତ୍ମା ଆପଣା ଆଲୋକେ

ସୂର୍ଯ୍ୟ ଚନ୍ଦ୍ର ତାରା ଆଦି ନାହିଁ ଆତ୍ମ-ଲୋକେ ।

ନ ଭାସେ ତପନ ତହିଁ ଚନ୍ଦ୍ରମା ନ ଝଳେ

ରତ୍ନଦୀପାବଳି ସମ ତାରକା ନ ଜଳେ ।

ନାହିଁ ତହିଁ କ୍ଷଣପ୍ରଭା ଚଞ୍ଚଳ ଝଟକ

ଉଜ୍ଜ୍ୱଳେ ଜଳିବ କାହିଁ ଅବା ଏ ପାବକ ?

ଆତ୍ମରୂପୀ ପ୍ରବାମୟ ପରମ ଈଶ୍ୱରେ

ରବି ଶଶୀ ଆଦି ସର୍ବ ସଦା ଅନୁସାରେ ।

ଆଲୋକିତ ହୁଏ ସର୍ବ ସେ ବ୍ରହ୍ମ ଆଲୋକେ

ଦୀପ୍ତିମନ୍ତ ଦିଶେ ଯାହା ଦ୍ୟୁଲୋକେ ଭୂଲୋକେ ।

 

ଦ୍ୱିତୀୟ ବଲ୍ଲୀ ସମାପ୍ତ

Image

 

 

ତୃତୀୟ ବଲ୍ଲୀ

 

ସଂସାର ଅଶ୍ୱତ୍‍ଥ ତରୁ ଅନିତ୍ୟ ଅସ୍ଥିର

ଉର୍ଦ୍ଧ୍ୱେ ମୂଳ ମେଲିଅଛି ନିମ୍ନେ ଶାଖା ଶିର ।

ଅବ୍ୟକ୍ତୁଁ ସ୍ଥାବର ଯାଏ ନିଖିଳ ସଂସାର

ସେ ପରମପଦ ବିଷ୍ଣୁ ଏହା ମୂଳାଧାର ।

ସଜୀବ ନିର୍ଜୀବ ଦେବ ଅସୁର ମାନବ

ପଶୁ ପକ୍ଷୀ ତରୁ ତୃଣ ଯାବତ ସଂଭବ ।

ସଂସାର ଅଶ୍ୱତଥେ ସର୍ବେ ଶାଖା ଅଗଣନ

ଅନାଦି ପ୍ରବାହ ଏ ଯେ ବୃକ୍ଷ ସନାତନ ।

ଏ ବୃକ୍ଷର ମୂଳ ବୀଜ ଉଜ୍ଜ୍ୱଳ ଭାସ୍ୱର

ସର୍ବଲୋକାଶ୍ରୟ ବ୍ରହ୍ମ ନିତ୍ୟ ଅନଶ୍ୱର ।

ଅତୀତ ନୁହଇ ତହୁଁ କିଛି ଏ ଜଗତେ

ଏ ସେ ଆତ୍ମା ନଚିକେତ, ପୁଚ୍ଛିଲ ଯା ମତେ ।

ନିଃସୃତ ପରମବ୍ରହ୍ମୁଁ ବିଶ୍ୱ ବସ୍ତୁଗଣ

ସେ ବ୍ରହ୍ମ ପ୍ରେରଣେ ସ୍ପନ୍ଦେ ବିଶ୍ୱ ଅନୁକ୍ଷଣ ।

ମହା ଭୟଙ୍କର ସେହି ପ୍ରଭୁ ବିଶ୍ୱେଶ୍ୱର

ପ୍ରଚଣ୍ଡ ଉଦାତ୍ତ ସଦା ତୀବ୍ର ବଜ୍ରଧର ।

ଯାର ଡରେ ରବି ଶଶୀ ଗ୍ରହ ତାରାପନ୍ତି

ଅବିଶ୍ରାନ୍ତ ନିଜ ନିଜ ମାର୍ଗେ ବିଚରନ୍ତି,

ଅନ୍ତରର ସାକ୍ଷୀ ସେହି ପ୍ରଭୁ ଅନ୍ତର୍ଯ୍ୟାମୀ

ଜାଣି ଯେହୁ ସଦା ତାଙ୍କ ଆଜ୍ଞା ଅନୁଗାମୀ ।

ଅମରତ୍ୱ ଲଭେ ସେହୁ ଯାଏ ଭବପାରେ

ଫେରେ ନାହିଁ କେବେ ଆଉ ଏ ଘୋର ସଂସାରେ ।

ସେ ବିଶ୍ୱନିୟୁନ୍ତୃ, ଭୟେ ପ୍ରତପେ ତପନ,

ପ୍ରତାପେ ପାବକ, ବହେ ସନ୍ତତ ପବନ ।

ଯଥାକାଳେ ବର୍ଷେ ଇନ୍ଦ୍ର ପ୍ରଶାସେ ଶମନ,

ନିଜ ନିଜ କାର୍ଯ୍ୟେ ରତ ଦିଗପାଳଗଣ ।

ସ୍ୱାମୀଭୋଷେ ଭୟଭୀତ ପରିକର ପ୍ରାଏ

ପ୍ରତ୍ୟେକ ଆପଣା ପଥେ ଅବିଶ୍ରାନ୍ତ ଧାଏଁ ।

ସେ ବିଶ୍ୱକାରଣ ପ୍ରଭୁ ବିଶ୍ୱ ମୂଳାଧାରେ

ଜାଣିବାକୁ ସମର୍ଥ ଯେ ହୁଏ ଏ ସଂସାରେ ।

ସ୍ୱରୂପ ତାଙ୍କର ହୃଦେ କରେ ଅନୁଭୂତି

ଦେଖ ଏ ଅନନ୍ତ ବିଶ୍ୱ ତାଙ୍କରି ବିସ୍ତୃତି ।

ମରଣ ପୂର୍ବରୁ ଏହି ମର୍ତ୍ତ୍ୟ-କଳେବରେ

ପାଏ ସେ ବିଦେହ ମୁକ୍ତି, ଭବସିନ୍ଧୁ ତରେ ।

ଲଭେ ନାହିଁ ଏଥୁ ଯେହୁ ବ୍ରହ୍ମ ଅବଗତି

ମରଣାନ୍ତେ ହେଲେ ତାର ନାହିଁ ମୋକ୍ଷଗତି ।

ଏ ଦେହ ଛାଡ଼ି ସେ ପୁଣି ଆନ ଦେହ ପାଏ

କର୍ମ ଅନୁଯାୟୀ ଦେହୁଁ ଦେହାନ୍ତର ଯାଏ ।

ଅସଂଖ୍ୟ ଯୋନିରେ ଜନ୍ମେ ଭ୍ରମେ ନାନା ଲୋକେ

ଉଠେ ପଡ଼େ ସୁଖେ ଦୁଃଖେ ସଢେ ଭବ-ଶୋକେ ।

ନିଜ ମୁଖ ପ୍ରତିବିମ୍ବ ସ୍ୱଚ୍ଛ ଦରପଣେ

ଦେଖେ ନର ଅବିକଳ ବିଶଦ ଯେସନେ ।

ସୁନିର୍ମଳ ସମୁଜ୍ଜ୍ୱଳ ବୁଦ୍ଧି ଆଦରଣେ

ତେସନେ ଆତ୍ମାର ରୂପ ଦେଖେ ଜ୍ଞାନବଶେ ।

ଅସ୍ପଷ୍ଟ ସ୍ୱପନେ ଯଥା ରୂପ ଅବୟବ

ପିତୃଲୋକେ ଦିଶେ ତଥା ଆତ୍ମା ଅସୌଷ୍ଠବା ।

ରୂପରେଖ ଅଙ୍ଗହୀନ ସଲିଳେ ଆକୃତି

ଆତ୍ମାର ଗନ୍ଧର୍ବ ଲୋକେ ତଥା ଅନୁଭୂତି ।

ବ୍ରହ୍ମଲୋକେ ଦିଶେ ଏକା ଆତ୍ମା ପରିଷ୍କାର

ସ୍ପଷ୍ଟ ବିଲକ୍ଷଣ ଯଥା ଆଲୋକ ଅନ୍ଧାର ।

ବ୍ରହ୍ମଲୋକ ପ୍ରାପ୍ତି ଅତି ଦୁଃସାଧ୍ୟ ଦୁର୍ଲ୍ଲଭ

ବହୁ ଯାଗ ଯୋଗ ଜ୍ଞାନେ ଲଭେ ତା ମାନବ ।

ହେ ଚତୁର ନର, ତେଣ ହୁଅ ସାବଧାନ

ଆପଣ ଅନ୍ତରେ ସଦା କର ବ୍ରହ୍ମ ଧ୍ୟାନ ।

ସ୍ୱଚ୍ଛ ଶୁଦ୍ଧ କର ନିଜ ବୁଦ୍ଧି-ଦରପଣ

ଇଚ୍ଛା ଯଦି ପାଇବାକୁ ବ୍ରହ୍ମ ଦରଶନ ।

କ୍ଷିତି ଅପ ତେଜ ବାୟୁ ବ୍ୟୋମ ମହାଭୂତ

ପଞ୍ଚେନ୍ଦ୍ରିୟୁ ଏ ପଞ୍ଚର ସତ୍ୟାଂଶୁ ସଂଭୁତ ।

ରାଜସ୍ୱ ଅଂଶରୁ ପାଣି ପାଦ ଆଦି ହୁଏ

ଜ୍ଞାନକର୍ମେନ୍ଦ୍ରିୟେ କିନ୍ତୁ ଆତ୍ମା ଯୁକ୍ତ ନୁହେ ।

ସ୍ୱପ୍ନ ଜାଗରଣେ ଦେହେ ଇନ୍ଦ୍ରିୟନିଚୟ

ଦିବସେ ଦିବସେ ଯାଏ ପ୍ରଳୟ ଉଦୟ ।

ଇନ୍ଦ୍ରିୟ ଉଦୟ ଅସ୍ତେ ଆତ୍ମ ଅବାଧିତ

ବୁଝନ୍ତି ଏ ଆତ୍ମତତ୍ତ୍ୱ କେବଳ ପଣ୍ଡିତ ।

ଆତ୍ମାର ନ ଘଟେ କେବେ ପ୍ରଳୟ ଉଦୟ

ସତତ ଜାଗ୍ରତ ଆତ୍ମା ଅକ୍ଷୟ ଅବ୍ୟୟ ।

ଆତ୍ମା ଇନ୍ଦ୍ରିୟର ବୁଝି ଏହି ଭେଦାଭେଦ

ତରନ୍ତି ବିବେକୀ ଜନେ ସର୍ବ ଶୋକ ଖେଦ ।

ଇନ୍ଦ୍ରିୟ ଶରୀର ସାର ପ୍ରାଣୀ ଦେହ ଦ୍ୱାର

ସକଳ ଇନ୍ଦ୍ରିୟ ପରେ ମନ ଅଧିକାର ।

ଇନ୍ଦ୍ରିୟରୁ ବଳି ତେଣୁ ମନ ଶ୍ରେଷ୍ଠତର

ମନ ପରେ ବୁଦ୍ଧି, ପୁଣି ମହତ ତା ପର ।

ହିରଣ୍ୟଗରଭ ନାମେ ସେ ମହତ ଖ୍ୟାତ

ବିଶ୍ୱ ବୁଦ୍ଧି ସମବାୟ ସର୍ବ ବିଶ୍ୱ ବ୍ୟାପ୍ତ ।

ସେ ହିରଣ୍ୟଗର୍ଭ ପରେ ଅବ୍ୟକ୍ତ ପ୍ରଧାନ

ସାଂଖ୍ୟେ ଯା ପ୍ରକୃତି, ମାୟା ବେଦାନ୍ତେ ଯା ନାମ ।

ଅବ୍ୟକ୍ତ ପ୍ରକୃତି ପରେ ପୁରୁଷ ଉତ୍ତମ

ସର୍ବବ୍ୟାପୀ ସର୍ବେଶ୍ୱର ସତ୍ୟ ସନାତନ ।

ନାହିଁ ଯାର ଚିହ୍ନ, ନାହିଁ ଗୁଣ ରୂପ ନାମ

ସେହି ଏକା ପରମାତ୍ମା ଯେ ପରମ ଧାମ ।

ଜାଣେ ଏ ପରମ ତତ୍ତ୍ୱ, ସେ ପ୍ରାଣୀ ସଂସାରେ

ଲଭେ ଅମୃତତ୍ୱ, ଯାଏ ଭବସିନ୍ଧୁ ପାରେ ।

ଆତ୍ମାର ସ୍ୱରୂପ ନୁହେ ପ୍ରତ୍ୟେକ୍ଷ ଗୋଚର

ଆତ୍ମାକୁ ନୟନେ କେହି ଦେଖି ନାହିଁ ନର ।

ସୁନିଶ୍ଚିତ ବୁଦ୍ଧି ବଳେ କଲେ ଧୀର ଧ୍ୟାନ

ପ୍ରକାଶେ ମାନବ-ହୃଦେ ଶୁଦ୍ଧ ଆତ୍ମଜ୍ଞାନ ।

ଆତ୍ମା ବ୍ରହ୍ମକୁ ଯେ ଜାଣେ ଚିତ୍ତେ କରି ଲୟ

ଅମୃତ ସେ ମରଦେହେ ଚିର ମୃତ୍ୟୁଞ୍ଜୟ ।

ଚକ୍ଷୁ ଯେବେ ବାହ୍ୟ ଦୃଶ୍ୟ ଦେଖି ନ ଦେଖଇ

କର୍ଣ୍ଣ ଯେବେ ବାହ୍ୟ ନାଦ ଶୁଣି ନ ଶୁଣଇ ।

ସୁଗନ୍ଧ ଦୁର୍ଗନ୍ଧ ନାସା ନ କଲେ ଆଘ୍ରାଣ

ପରଶେ ନ ବୁଝେ ଦେହ ଶୀତ ଉଷ୍ଣ ଜ୍ଞାନ ।

ଆସ୍ୱାଦେ ନ ଜାଣେ ଜିଦ୍ୱା ରସ ଭେଦାଭେଦ

ବାହ୍ୟ ବିଷୟରୁ ଯେବେ ଇନ୍ଦ୍ରିୟ ନିର୍ବେଦ ।

ଅନ୍ତର୍ମୁଖେ ରହେ ଯେବେ ମାନସ ଆୟତ୍ତ

ବିଷୟ ବ୍ୟାପାରେ ବୁଦ୍ଧି ନୁହେ ଅଭିରତ ।

ଏକାନ୍ତ ଉଦାର ଶୁଦ୍ଧ ହୁଏ ଯେବେ ମତି

ଜ୍ଞାନୀ ଯୋଗୀଗଣ ମତେ ସେ ପରମ ଗତି ।

ବାହ୍ୟ ବିଷୟରୁ ଯେବେ ଇନ୍ଦ୍ରିୟ ବିରତ

ହୃଦୟ-କମଳେ ହୁଏ ମନ ଅଧିଗତ ।

ମାନସ ଧାରଣା ଦୃଢ ସ୍ଥିର ସୁନିଶ୍ଚିତ

ହରଷେ ବିଷାଦେ ତିଳେ ନୁହେ ବିଚଳିତ ।

ଯୋଗେ ଅଧିରୂଢ ତେବେ ସାଧକର ମତି

ହୁଏ ହୃଦେ ପୂର୍ଣ୍ଣାନନ୍ଦ ଆତ୍ମ ଅବଗତି ।

କଠିନ ଏ ଯୋଗମାର୍ଗ ଦୁଃସାଧ୍ୟ ସାଧନ

ଅଳପ ବିକ୍ଷିପ୍ତ ବ୍ୟଗ୍ର ହେଲେ ଏଥି ମନ ।

ପ୍ରମାଦେ ବିଷମ ଗତି ଘଟେ ଅକସ୍ମାତେ

ପଡ଼ଇ ସାଧକ ମହା ଦୁସ୍ତର ବିତ୍‍ପାତେ ।

ତେଣୁ ଅତି ସାବଧାନେ ଏକାଗ୍ର ମାନସେ

ନିରୋଧି ଇନ୍ଦ୍ରିୟଗଣ ରଜନୀ ଦିବସେ ।

ଜ୍ଞାନ-ଦୀପ ଜାଳି କର ଚିତ୍ତ ସମାହିତ

ଆତ୍ମ ଦରଶନେ ଯବେ ବାଞ୍ଛ ନିତ୍ୟ ହିତ ।

ଅଜ୍ଞେୟ ଯେ ମନ ବାକ୍ୟ ଇନ୍ଦ୍ରିୟ ସଂଯୋଗେ

ଗୋଚର କେବଳ ହୃଦେ ଜ୍ଞାନ ଧ୍ୟାନ ଯୋଗେ।

ଆସ୍ତିକ ବିଶ୍ୱାସୀ ଗୁରୁ ବିନା କିଏ ଆନ

ଦେଇପାରେ ସେ ଅନାଦି ବ୍ରହ୍ମତତ୍ତ୍ୱ ଜ୍ଞାନ ।

ପାଷାଣ୍ଡ ନାସ୍ତିକଗଣ ବ୍ରହ୍ମେ ଅବିଶ୍ୱାସୀ

ଦୂରେ ତାଙ୍କ ସଙ୍ଗ ତେଜ ଅମୃତପ୍ରୟାସୀ ।

ନିର୍ଗୁଣ ସଗୁଣ ଆତ୍ମା ଉଭୟ ପ୍ରକାର

ସଗୁଣ ଉପାଧି ବଶେ ସୃଷ୍ଟି ଏ ସଂସାର ।

ବିନା କାରଣରେ କାହିଁ କାର୍ଯ୍ୟର ଉଦଭବ

ଆତ୍ମା ବିନା ଏ ସଂସାରେ ସୃଷ୍ଟ ଅସମ୍ଭବ ।

ଗୁରୁ ଉପଦେଶ ଲଭି ଏ ତତ୍ତ୍ୱ ନିଶ୍ଚୟ

ଆତ୍ମାର ଅସ୍ତିତ୍ୱେ ଆଦ୍ୟେ କରିବ ପ୍ରତ୍ୟୟ ।

ଧୀର ଭାବେ ଅନୁଭବି ନିଜ ହୃଦଗତି

ଦେଖି ବିଶ୍ୱ ସୃଷ୍ଟି କ୍ରିୟା ସୁସଂଯତ ମତି ।

‘ଅଛନ୍ତି ସେ ପରମାତ୍ମା ନିତ୍ୟ ବିରାଜିତ’

ଏ ସତ୍ୟ ବିଶ୍ୱାସ ଯେବେ କରେ ଦୃଢ ଚିତ୍ତ ।

ତତ୍ତ୍ୱଭାବ ହୁଏ ତେବେ ଅନ୍ତରେ ପ୍ରକାଶ

ଉପାଧି ରହିତ ବ୍ରହ୍ମେ ଉପୁଜେ ବିଶ୍ୱାସ ।

ଅବ୍ୟୟ ଅକ୍ଷୟ ନିତ୍ୟ ଆତ୍ମତତ୍ତ୍ୱ ଭାବ

ଅନୁକ୍ଷଣ ଅନୁଭବେ ହୁଏ ତାର ଲାଭ ।

ପୂର୍ବରୁ ପୋଷିତ ଯେତେ କାମନାନିଚୟ

ତତ୍ତ୍ୱଭାବ ଲାଭେ ହୁଦୁଁ ଯାଏ ସବୁ କ୍ଷୟ ।

ଏ ମୋର ସଂସାରେ ତେବେ ମାନବ ଅମୃତ

ଲଭେ ବ୍ରହ୍ମାନନ୍ଦ ବ୍ରହ୍ମେ ହୁଏ ଏକୀଭୂତ ।

‘ମୁଁ’ ‘ମୋର’ ମମତାମୟ ହୃଦଗ୍ରନ୍ଥିଚୟ

ହୁଏ ଯେବେ ଚ୍ଛିନ୍ନ ଭିନ୍ନ ତୁଟେ ଭବଭୟ ।

ଅଜ୍ଞାନ-ଜଡ଼ତା ମୋହ ଦୂରେ ଅପସରେ

ବ୍ରହ୍ମ-ଆତ୍ମା ଏକଭାବ ବାହ୍ୟ ଅଭ୍ୟନ୍ତରେ ।

ମର୍ତ୍ତ୍ୟଲୋକେ ମର ଦେହେ ମାନବ ଅମୃତ

ଏ ପରମ ଉପଦେଶ ବେଦାନ୍ତ ନିସୃତ ।

ପ୍ରସରିଛି ହୁଦୁଁ ନାଡ଼ୀ ଏକୋତ୍ତର ଶତ

ତା ମଧ୍ୟେ ସୁଷୁମ୍ନା ଉର୍ଦ୍ଧ୍ୱେ ବ୍ରହ୍ମରନ୍ଧ୍ର ଗତ ।

ଜ୍ଞାନବଳେ ଜୀବନ୍ମୁକ୍ତ ନ ହୁଏ ଯେ ନର

ଉପାସନା ଅନୁସାରେ ପାଏ ଲୋକାନ୍ତର ।

ମରଣେ ଯେ ଉର୍ଦ୍ଧ୍ୱେ ଯାଏ ସୁଷୁମ୍ନା ଆଶ୍ରୟେ

ବ୍ରହ୍ମଲୋକେ ଅମୃତତ୍ୱ ଭୋଗେ ସେ ନିର୍ଭୟେ ।

ଭିନ୍ନ ଭିନ୍ନ ଲୋକେ ଯାଏ ଅନ୍ୟ ନାଡ଼ୀ ଯୋଗେ

ନିଜ କର୍ମ ଅନୁରୂପେ ସୁଖ ଦୁଃଖ ଭୋଗେ ।

ବ୍ରହ୍ମତତ୍ତ୍ୱ କଥା ଯେତେ କଲି ମୁଁ ପ୍ରଚାର

ଶୁଣ ନଚିକେତ, ଏବେ ସେ ସବୁର ସାର ।

ପ୍ରାଣିଗତ ହୃଦେପଦ୍ମେ ସଦା ବିଦ୍ୟମାନ

ଅନ୍ତରାତ୍ମା ପୁରୁଷ, ସେ ଅଙ୍ଗୁଷ୍ଠ ପ୍ରମାଣ ।

ଗୁଞ୍ଜଗଭୁଁ ମଞ୍ଜ ସମ ସେ ପୁରୁଷୋତ୍ତମେ

ନିଜ ଦେହୁଁ ଭିନ୍ନ କରି ଧୈର୍ଯ୍ୟ ଶମ ଦମେ ।

ସେ ଅନ୍ତର୍ଯ୍ୟାମୀଙ୍କୁ ଶୁଦ୍ଧ ବ୍ରହ୍ମ ବୋଲି ଜାଣ

ସେହି ବିଶ୍ୱଆତ୍ମା, ସେହି ସର୍ବ ପ୍ରାଣୀ ପ୍ରାଣ ।

ଯମରାଜା କହିଲେ ଯେ ବ୍ରହ୍ମତତ୍ତ୍ୱଜ୍ଞାନ

କହିଲେ ଯେ ଯୋଗଫଳ ସାଧନ ବିଧାନ ।

ବୁଝି ହୃଦେ ଅନୁଧ୍ୟାଇ ସେ ତତ୍ତ୍ୱସକଳ

ହେଲେ ନଚିକେତା ଶୁଦ୍ଧ ନିର୍ଦ୍ଦୋଷ ନିର୍ମଳ ।

ଅବିଦ୍ୟାର ମୋହବନ୍ଧ ଗଲା ହୃଦୁଁ ତୁଟି

ଉଠିଲା ଅନ୍ତରେ ପୂର୍ଣ୍ଣ ଆତ୍ମତତ୍ତ୍ୱ ଫୁଟି ।

ମୁକ୍ତ ହୋଇ ନଚିକେତା ଗଲେ ମୃତ୍ୟୁ ପରେ

ଆତ୍ମତତ୍ତ୍ୱ ଅନ୍ୟ ଯେହୁ ଜାଣିବେ ସଂସାରେ ।

ନଚିକେତା ସମ ସେହୁ ଲଭିବେ ମୁକତି

ହେବ ବ୍ରହ୍ମପଦ ପ୍ରାପ୍ତି, ଘୁଞ୍ଚିବ ଦୁର୍ଗତି ।

 

ତୃତୀୟ ବଲ୍ଲୀ ସମାପ୍ତ

Image

 

ଚତୁର୍ଥ ବଲ୍ଲୀ

 

ଯମ ତହୁଁ ନଚିକେତା ଲଭି ବ୍ରହ୍ମଜ୍ଞାନ

ବାହୁଡ଼ି ମିଳିଲେ ଆସି ପିତୃ ସନ୍ନିଧାନ ।

ଅଚେତନ ପିଣ୍ତେ ଯେବେ ଜାଗିଲା ଚେତନା

ଉଠି ପୁତ୍ର କଲେ ପିତୃଚରଣ ବନ୍ଦନା ।

ଜୀବନ୍ତ ତନୟେ ଦେଖି ପିତା ହରଷିତ

ଦରିଦ୍ର ପାଇଲେ ଯଥା ଚିରହରା-ଚିତ୍ତ ।

“ଧନ୍ୟ ନଚିକେତା, ଧନ୍ୟ ତୋର ପୁଣ୍ୟରାଶି

ତ୍ରିପୁର ଜିଣିଲୁ ବାବୁ ହୋଇ ମର୍ତ୍ତ୍ୟବାସୀ ।

ଦୈବବଳେ ପାଇଲୁ ତୁ ଜନମ ଆବର

ତୋର ଏ ଶରୀର ନୁହେଁ ନର କଳେବର ।

କହ ପୁତ୍ର, ଦେଖିଲୁ ତୁ କିସ ମୃତ୍ୟୁ ପରେ”

କି କର୍ମେ କି ଫଳ ଜନ ଲଭେ ଯମଘରେ ?

ଋଷିଗଣ ମଧ୍ୟେ ତହୁଁ ଯୋଡ଼ି ବେନିକର

ସବିନୟେ ନଚିକେତ କରନ୍ତି ଉତ୍ତର; ।

“ତବ ଆଜ୍ଞା ମାନି ପିତା ଗଲି ଯମାଳୟ

ଦେଖିଲି ଶମନ-ସଭା ଅତି ଶୋଭାମୟ ।

ବିଶାଳ ସେ ସଭା ଦଶ ସହସ୍ର ଯୋଜନ

ନାନା ରତ୍ନେ ସୁଖଚିତ କନକ ବରଣ ।

ଦେଖି ମତେ ଯମରାଜା ଭୃତ୍ୟ ମୁଖ ଚାହିଁ

କହିଲେ ଆସନ ଆଣି ଶୀଘ୍ର ଦେବା ପାଇଁ ।

ତୁମ୍ଭର ସୁକୃତେ ମତେ ଅର୍ଘ୍ୟାଦି ବିଧାନେ

ପୂଜିଲେ ସେ ଯମରାଜା ବିହିତ ସମ୍ମାନେ ।

ବହୁତ ଆଦର କଲେ ଯମ ଭୃତ୍ୟଗଣ

କହିଲି ମୁଁ ଜନ୍ତୁରାଣେ ବିନୟ ବଚନ ।

‘ତବ ପାଶେ ଉପଗତ ହୋଇଛି ମୁଁ ଆଜ

ଯହିଁ ମୋ ଉଚିତ ସ୍ଥାନ ନିଅ ଧର୍ମରାଜ ।

କହିଲେ ସେ ଯମ ମତେ, ‘ମରି ନାହିଁ ଏବେ,

ପିତା ତବ କହିଛନ୍ତି-ଦେଖ ଯମଦେବେ ।

ଅନଳପ୍ରତିମ ଋଷି କହିଲେ ଯେ କଥା

କାହାର କ୍ଷମତା ତାହା କରିବ ଅନ୍ୟଥା ।

ତେଣୁ ତୁମ୍ଭେ ଆସିଅଛ ଶମନ-ସଦନେ

ଦେଖିଅଛ ମତେ ଏବେ ଯାଅ ସ୍ୱ-ଭବନେ ।

ତୁମ୍ଭଙ୍କୁ ନ ଦେଖି ପିତା ଅତ୍ୟନ୍ତ କାତର

ଶୀଘ୍ର ଯାଅ ନଚିକେତ, ବିଳମ୍ବ ନ କର ।

ମୋ ପୁରେ ଅତିଥି ତୁମ୍ଭେ ଯାହା ଇଚ୍ଛା ମାଗ

ସାଦରେ ଏକ୍ଷଣେ ସବୁ ଦେବି ମହାଭାଗ’ ।

ଯମରାଜ ବାକ୍ୟେ ମୁହିଁ କଲି ନିବେଦନ

‘ଆସିଅଛି ତବ ପୂରେ ହେ ଯମରାଜନ !

ଏ ଦେଶକୁ ଆସି କେହି ବାହୁଡ଼ି ନ ଯାଏ

ବର ଅନୁଗ୍ରହ ଯେବେ କର ଜନ୍ତୁରାୟେ ।

ଲଭନ୍ତି ସୁକୃତବନ୍ତ ଜନେ ଯେ ଯେ ଦେଶ

ଦେଖିବି ସେସବୁ ଦେବ କର ହେ ଆଦେଶ’

ତହୁଁ ଯମ ବସାଇଲେ ମତେ ଦିବ୍ୟଯାନେ

ନିଜ ପୁରେ ବୁଲାଇଲେ ନେଇ ନାନା ସ୍ଥାନେ ।

ବସନ୍ତି ପ୍ରମୋଦେ ଯହିଁ ପୁଣ୍ୟବନ୍ତ ଜନ

ଦେଖିଲି ସବୁ ସେ ଦିବ୍ୟ ଚାରୁ ନିକେତନ ।

ସର୍ବ ରତ୍ନ ସୁଶୋଭିତ ବିଚିତ୍ର ଗଠନ

ଉଜ୍ଜ୍ୱଳ ଅପୂର୍ବ ତେଜେ ସକଳ ଭବନ,

ଚନ୍ଦ୍ରମାମଣ୍ଡଳ ସମ ଶୁଭ୍ର ରମ୍ୟପୁର

ଯଥାସ୍ଥାନେ ଶୋଭେ ମଣି କିଙ୍କିଣି ନୂପୁର ।

ବହୁତଳ ପ୍ରାସାଦ ସେ ଅତି ଶୋଭାବନ

ପୁର ମଧ୍ୟେ ରାଜେ ପୁଣି ସର ଉପବନ ।

ମାଣିକ୍ୟ ବୈଦୁର୍ଯ୍ୟେ ଝଳେ ରାବି ପ୍ରଭା ସମ

ସ୍ୱର୍ଣ୍ଣ ରୌପ୍ୟ କାରୁକାର୍ଯ୍ୟ ଅତି ଅନୁପମ ।

ସ୍ଥାବର ବା ଅସ୍ଥାବର ଯାହା ସେ ଭବନେ

ସର୍ବେ ଯଥା ଝକମକ ବାଳାର୍କ କିରଣେ। ।

ସୁଚାରୁ ବସନ କେତେ ସୁକୋମଳ ଶର୍ଯ୍ୟା

ହୋଇଅଛି ଶୈଳପରେ ଭକ୍ଷ୍ୟ ଭୋଜ୍ୟ ସଜ୍ଜା ।

ନାନା ଜାତି ଫଳ ଲତା ଯହିଁ ସୁଶୋଭିତ

ଫଳେ ଇଚ୍ଛା ଅନୁରୂପ ଫଳ ଅଗଣିତ ।

ବହେ କେତେ ନଦୀ, ଶୋଭେ ବାମ୍ପୀ ପୁଷ୍କରିଣୀ

ଗିରି ଦେହୁଁ ବହେ କାହିଁ ସ୍ୱଚ୍ଛ ନିର୍ଝରିଣୀ ।

‘କାହିଁ ବହେ ଘୃତଧାରା, କାହିଁ ଦୁଗ୍‍ଧଧାରା

ଦୀର୍ଘନାଦୀ ଯାନଜାଳେ ପୂର୍ଣ୍ଣ ପଥସାରା ।

ଦେଖିଲି ଏପରି ବହୁ ଅପୂର୍ବ ଭବନ

ଅବଶେଷେ ଧର୍ମରାଜେ କଲି ନିବେଦନ;

‘କହ ଦେବ, ଦିଶେ ଏ ଯେ ସରିତ ନିବହ

ଘୃତ ଦୁଗ୍‍ଧ ସ୍ରୋତ ଯହିଁ ବହେ ଅହରହ ।

କାହା ଉପଭୋଗ ଲାଗି ସୃଷ୍ଟି ଏ ସକଳେ

ବୋଲେ ଯମ, ‘ନଚିକେତ, ଶୁଣ ହେ ନିଶ୍ଚଳେ ।

କରନ୍ତି ଗୋରସ ଦାନ ଯେଉଁ ସାଧୁଜନ

ସେହି ଏକା ଏ ସରିତ ସମ୍ଭୋଗେ ଭାଜନ ।

ଯଥାବିଧି ଗୋ ପ୍ରଦାନ କରନ୍ତି ଯେ ନରେ

ପାଆନ୍ତି ସେ ଏଥୁଁ ବଳି ଭୋଗ ଲୋକାନ୍ତରେ ।

ସୁଲକ୍ଷଣବତୀ ଗାଭୀ ବୁଝି କାଳ ବିଧି

ଯୋଗ୍ୟପାତ୍ରେ ଦାନ ଦେଲେ ମିଳେ ସର୍ବ ସିଦ୍ଧି’ ।

ନାନାବିଧ ଗୋଦାନରେ ନାନାବିଧ ଫଳ

ବିଶେଷେ କହିଲେ ଯମ ବୁଝାଇ ସକଳ ।

ଗୋଦାନେ ଭୋଗଇ ନର ସ୍ୱର୍ଗେ ମହାସୁଖ

ଗୋଦାନେ କଦାପି ପିତା ନ ହୁଅ ବିମୁଖ ।

ଉପଯୁକ୍ତ ଗାଭୀ ଦିଅ ଉପଯୁକ୍ତ ଜନେ

ଗୋଦାନର ଫଳ ମୁଁ ତ ଦେଖିଲି ନୟନେ ।

ଗୋଦାନ ସମାନ ନୁହେ ଅନ୍ୟ ମୋର ମତେ

କରନ୍ତୁ ମାନବ ସର୍ବେ ଗୋସେବା ଜଗତେ’’ ।

ଇହ ପରକାଳେ ସୁଖ ଗୋସେବା, ଗୋଦାନେ

ଗୋଜାତିକୁ ପାଳ ଜନେ ସଦା ସାବଧାନେ ।

 

ଦ୍ୱିତୀୟ ଅଧ୍ୟାୟ

ଚତୁର୍ଥ ବଲ୍ଲୀ ସମାପ୍ତ

 

Image